ନୂଆଦିଲ୍ଲୀ:ଆଜି ସମଗ୍ର ଦେଶ ପାଳୁଛି ଶାରଦୀୟ ପାର୍ବଣର ଅନ୍ତିମ ପର୍ବ ଦଶହରା ବା ବିଜୟା ଦଶମୀ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ ମଧ୍ୟ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଦ୍ବାରକାରେ ବିଜୟା ଦଶମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମାଜରେ ଥିବା ଦୁଷ୍ଟଶକ୍ତିଙ୍କୁ ରାବଣ ସହ ତୂଳନା କରି ବର୍ଷିଛନ୍ତି । ବିରୋଧୀ ଦଳକୁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପରୋକ୍ଷରେ କହି ବର୍ଷିଛନ୍ତି ।
ଶ୍ରଦ୍ଧାଳୁଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଭାରତ ପୂର୍ବ ଅପେକ୍ଷା ଅଧିକ ସଚେତନ ହେବା ଆବଶ୍ୟକତା ରହିଛି । ଏହାକୁ ମନେ ରଖିବାକୁ ହେବ ଯେ ରାବଣର ଦହନ କେବଳ କୁଶପୁତ୍ତଳିକାର ଦହନରେ ସୀମିତ ନୁହେଁ । ଏହି ଦହନ ପ୍ରତ୍ୟେକ ସମାଜରେ ଥିବା ସମସ୍ତ ବିକୃତିର ଦହନ । ସମାଜର ଭାଇଚାରା, ସୌହାର୍ଦ୍ଦ୍ୟ ଓ ପାରସ୍ପରିକ ସମନ୍ୱୟ ନଷ୍ଟ କରୁଥିବା ପ୍ରତ୍ୟେକ ବିକୃତିର ଦହନ । ଏହି ଦହନ ଜାତି ଏବଂ ଆଞ୍ଚଳିକତା ନାମରେ ମା’ ଭାରତୀକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ମନ୍ଦ ଶକ୍ତିର ଦହନ । ବିକାଶ ପରିବର୍ତ୍ତେ ସ୍ୱାର୍ଥପରତାର ଏହି ଦହନ ।’’
କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଜାତିଭିତ୍ତିକ ଜନଗଣନା ଦାବି କରୁଥିବା ବେଳେ ସେ ପୂଜା ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ରାବଣ ଉପାଖ୍ୟାନରେ ଏହି ମନ୍ତବ୍ୟ ଆସିଛି । ଯାହା ବିରୋଧୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ ଜଣାପଡୁଛି । କାରଣ ପ୍ରଧାନମନ୍ତ୍ରୀ ଏହି ଜାତିଭିତ୍ତିକ ଜନଗଣନା ବିଚାରକୁ ପ୍ରଥମରୁ ସମାଜର ଜାତି ଆଧାରିତ ବିଭାଜନ ଓ ଭେଦଭାବର ଯୋଜନା ବୋଲି କହି ସାରିଛନ୍ତି ।