ନୂଆଦିଲ୍ଲୀ: ପ୍ରଦୂଷଣ ବଳୟରେ ଦେଶ । ଭାରତର ବଡ ବଡ ମେଟ୍ରୋ ସହରରେ ମୁଖ୍ୟ ବ୍ୟାଧି ସାଜିଛି ପ୍ରଦୂଷଣ । ଏଣୁ ଦେଶରେ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ପାଇଁ ସବୁଜ ଅଭିଯାନ କାର୍ଯ୍ୟ କରୁଛି । ଏପରିସ୍ଥଳେ ଭାରତୀୟ ରେଳବାଇ 1600 HP 10-କୋଚ DEMU ଟ୍ରେନକୁ ହାଇଡ୍ରୋଜେନ ଇନ୍ଧନ ଦ୍ବାରା ଚଳାଇବାକୁ ଯୋଜନା କରି ଗୋଟିଏ ପାଦ ଆଗକୁ ବଢିଛି । ଅର୍ଥାତ୍ ଖୁବଶ୍ରୀଘ୍ର ଭାରତରେ ଗଡିବାକୁ ଯାଉଛି ହାଇଡ୍ରୋଜେନ ସଂଚାଳିତ ଟ୍ରେନ । ଯାହାଦ୍ବାରା କିଛି ମାତ୍ରାରେ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ । ଉତ୍ତର ରେଲୱେର ୮୯ କିମି ସୋନିପାଟ-ଜିନ୍ଦ ସେକ୍ସନର DEMUରେ ରେଟ୍ରୋଫିଟ କରି ହାଇଡ୍ରୋଜେନ ଇନ୍ଧନ ସେଲ ଆଧାରିତ ଟେକ୍ନୋଲୋଜି ପାଇଁ ଖୁବଶୀଘ୍ର ବିଡ୍ ଡାକିବ ଭାରତୀୟ ରେଳବାଇ ।
ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରଥମେ ଦୁଇଟି DEMU ଟ୍ରେନକୁ ହାଇଡ୍ରୋଜନ ସଂଚାଳିତ ଟ୍ରେନରେ ରୂପାନ୍ତରିତ କରାଯିବ । ଏନେଇ ଲୋକ ପାଇଲଟଙ୍କୁ କୌଣସି ସମସ୍ୟା ହେବ ନାହିଁ । କାରଣ ଡ୍ରାଇଭିଂ କନସୋଲରେ କିଛି ବି ପରିବର୍ତ୍ତନ କରାଯିବ ନାହିଁ ।