ଓଡିଶା

odisha

ETV Bharat / bharat

Maharashtra Political Crisis: 56 ବର୍ଷ ମଧ୍ୟରେ ବଡ ବିଦ୍ରୋହର ସାମ୍ନା କରୁଛି ଶିବସେନା - ମହାରାଷ୍ଟ୍ର ରାଜନୈତିକ ସଙ୍କଟ

ଚତୁର୍ଥ ଥର ପାଇଁ ବିଦ୍ରୋହର ସାମ୍ନା କରିଛି ଶିବସେନା । ପୂର୍ବରୁ ବାଲ ଠାକରେଙ୍କ ଅମଳରେ ଏପରି ବିଦ୍ରୋହ ହୋଇଥିଲା । ୫୬ ବର୍ଷରେ ଚତୁର୍ଥ ଥର ପାଇଁ ପୁଅ ଅମଳରେ ଇତିହାସର ପୁନରାବୃତ୍ତି ଦେଖିଛି ଦଳ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ମହାଦଶା: ୫୬ ବର୍ଷରେ ଚତୁର୍ଥ ଥର ବିଦ୍ରୋହ ଦେଖିଲା ଶିବସେନା
ମହାରାଷ୍ଟ୍ର ମହାଦଶା: ୫୬ ବର୍ଷରେ ଚତୁର୍ଥ ଥର ବିଦ୍ରୋହ ଦେଖିଲା ଶିବସେନା

By

Published : Jun 23, 2022, 4:30 PM IST

ମୁମ୍ବାଇ:ମହାସଙ୍କଟର ସାମ୍ନା କରୁଛି ମହାରାଷ୍ଟ୍ର ରାଜନୀତି । ଖଣ୍ଡାଧାରରେ ଝୁଲୁଛି ମହା ବିକାଶ ଅଘାଡି ସରକାର(MVA) । ଦିନେ ଦଳର ଅତ୍ୟନ୍ତ ବିଶ୍ବସ୍ତ ଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେଙ୍କ ପାଇଁ ଆଜି MVA ସରକାର ଭୁଶୁଡିବାକୁ ବସିଛି । ସିନ୍ଧେଙ୍କ ନେତୃତ୍ବରେ ନିଜ ଦଳରେ ବିଦ୍ରୋହ କରୁଛନ୍ତି ଶିବସେନା ବିଧାୟକ । ଏହି ରାଜନୈତିକ ସଙ୍କଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନୋବଳ ଏକପ୍ରକାର ଭାଙ୍ଗି ଦେଇଛି । ତେବେ ଦଳୀୟ ନେତାଙ୍କ ଏପରି ବିଦ୍ରୋହ ଶିବସେନା ପାଇଁ କିଛି ନୂଆ ଘଟଣା ନୁହେଁ । ଏହା ହେଉଛି ଚତୁର୍ଥ ଥର, ଯେତେବେଳେ ଶିବସେନା ନିଜ ଅତ୍ୟନ୍ତ ବିଶ୍ବସ୍ତଙ୍କ ବିଦ୍ରୋହର ଶିକାର ହୋଇଛି । ପୂର୍ବରୁ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଅମଳରେ ଦଳ ତିନି ତିନିଥର ଏଭଳି ସଙ୍କଟର ସମ୍ମୁଖୀନ ହୋଇଥିଲା । ଏବେ ୫୬ ବର୍ଷରେ ଚତୁର୍ଥ ଥର ପାଇଁ ପୁଅ ଅମଳରେ ଏହାର ପୁନରାବୃତ୍ତି ହୋଇଛି । କେବଳ ସେତେବେଳେ ଶିବସେନା ସରକାରରେ ନଥିଲା ଏବେ ସରକାରରେ ଅଛି ।

ମହାରାଷ୍ଟ୍ର ମହାଦଶା: ୫୬ ବର୍ଷରେ ଚତୁର୍ଥ ଥର ବିଦ୍ରୋହ ଦେଖିଲା ଶିବସେନା

ଗତ ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ବିଦ୍ରୋହର ଆରମ୍ଭ ହୋଇଥିଲା । ଏହାର ପରଦିନ ସକାଳୁ ବିଧାୟକମାନଙ୍କୁ ନେଇ ଦଳର ମୁରବୀ ଠାରୁ ଅଲଗା ହୋଇଯାଇଥିଲେ ସିନ୍ଧେ । ଯାହା ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ବର୍ତ୍ତମାନ ସ୍ଥିତିରେ ଏହି ରାଜନୈତିକ ମହାଡ୍ରାମା ସରକାରକୁ ପତନାଭିମୁଖୀ କରିଛି । ଗତ ୫୬ ବର୍ଷ ଭିତରେ ଚତୁର୍ଥ ଥର ପାଇଁ ପୁଣି ଦଳୀୟ ଆକ୍ରୋଶ ଶିକାର ହୋଇଛି ଶିବସେନା । ପୂର୍ବରୁ ପିତା ବାଲ ଠାକରେଙ୍କ ଦଳୀୟ ନେତାଙ୍କ ବିଦ୍ରୋହର ସାମ୍ନା କରିଥିଲେ । ପ୍ରଥମେ ୧୯୯୧ ମସିହାରେ ଶିବସେନା ଉପରେ ଏଭଳି ବିପଦ ପଡିଥିଲା । ହଠାତ୍ ଶିବସେନାର ଓବିସି ଚେହେରା ଛଗନ ଭୁଜବଳ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଗ୍ରାମାଞ୍ଚଳରେ ସଂଗଠନ ବିସ୍ତାରର ମୁଖ୍ୟ ଶ୍ରେୟ ପାଇଥିବା ଭୁଜବଳଙ୍କ ଏପରି ନିଷ୍ପତ୍ତି ଦଳ ପାଇଁ ଶକ୍ତ ଝଟକା ଥିଲା ।

ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଆସନ ହାତେଇବାରେ ଭୁଜବଳ ନିର୍ଣ୍ଣାୟକ ଭୂମିକା ନିଭାଇଥିଲେ । ଏହାସତ୍ତ୍ବେ ମଧ୍ୟ ବାଲ ଠାକରେ ତାଙ୍କୁ ଉପେକ୍ଷା କରି ବିଧାନସଭାର ବିରୋଧି ଦଳ ନେତା ଭାବେ ମନୋହର ଯୋଶୀଙ୍କୁ ବାଛିଥିଲେ । ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଭୁଜବଳ । ସେ ୧୮ ଜଣ ବିଦ୍ରୋହୀ ବିଧାୟକଙ୍କ ସହ ତତ୍କାଳୀନ ଶାସକ ଦଳ କଂଗ୍ରେସକୁ ସମର୍ଥନ କରିଥିଲେ । କିନ୍ତୁ ସେହିଦିନ ୧୨ ଜଣ ବିଦ୍ରୋହୀ ବିଧାୟକ ପୁଣିଥରେ ସେନାକୁ ଫେରିଯାଇଥିଲେ । ଏହାପରେ ଭୁଜବଳ ୧୯୯୫ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ହେଲେ ତାଙ୍କୁ ଶିବସେନା ନେତା ବାଲ ନନ୍ଦଗାଓଁକାର ଠାରୁ ପରାଜିତ ହେବାକୁ ପଡିଥିଲା ।

୧୯୯୯ ମସିହାରେ ଏହି ଭେଟେରାନ ରାଜନେତା କଂଗ୍ରେସ ଛାଡି ଶରଦ ପାୱରଙ୍କ ଏନସିପିରେ ଯୋଗ ଦେଇଥିଲେ । ବର୍ତ୍ତମାନ ୭୪ ବର୍ଷୀୟ ଭୁଜବଳ ଶିବସେନା ନେତୃତ୍ବାଧୀନ ଏମଭିଏ ସରକାରରେ ମନ୍ତ୍ରୀ ତଥା ସିନ୍ଧେଙ୍କ କ୍ୟାବିନେଟ ସହଯୋଗୀ ଅଛନ୍ତି । ୨୦୦୫ରେ ଶିବସେନାକୁ ଆଉ ଏକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଣେ ଦଳ ଛାଡି କଂଗ୍ରେସର ହାତ ଧରିଥିଲେ । ବର୍ତ୍ତମାନ ରାଣେ ବିଜେପିର ରାଜ୍ୟସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଅଛନ୍ତି । ୨୦୦୬ରେ ଶିବସେନାକୁ ପୁଣି ଶକ୍ତ ଝଟକା ଲାଗିଥିଲା । ଏହି ସମୟରେ ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ ଭାଇ ରାଜ ଠାକରେ ଦଳରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ଗଠନ କରିଥିଲେ । ସମ୍ପ୍ରତ୍ତି ଶିବସେବା ଆଉ ଏକ ବିଦ୍ରୋହର ସାମ୍ନା କରୁଛି । ଯାହାକି ଦଳ ପାଇଁ ଏ ପର୍ଯ୍ୟନ୍ତର ସବୁଠୁ ବଡ ବିଦ୍ରୋହ ଅଟେ । ଏହାର ମୁଖ୍ୟ ନାୟକ ସାଜିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଧେ ।

ପ୍ରକାଶଥାଉ କି, ବର୍ତ୍ତମାନ ଶିବସେନା ନିକଟରେ ୫୫ ବିଧାୟକ ରହିଛନ୍ତି । ସେହିପରି ଏନସିପି ନିକଟରେ ୫୩ ଏବଂ କଂଗ୍ରେସ ୪୪ ବିଧାୟକ ଅଛନ୍ତି । ଏହି ତିନି ଦଳକୁ ନେଇ ମହାବିକାଶ ଅଘାଡି ଗଠନ ହୋଇଛି । ଅନ୍ୟପଟେ ବିଜେପି ପାଖରେ ୧୦୬ଟି ବିଧାନସଭା ଆସନ ଅଛି ।

ABOUT THE AUTHOR

...view details