ନୂଆଦିଲ୍ଲୀ:କୃଷକଙ୍କ ବିକାଶ ଓ କୃଷିଜାତ ଦ୍ରବ୍ୟ ଏବଂ ଶସ୍ୟର ରପ୍ତାନୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା କୃଷି ଉଡାନ ଯୋଜନା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଆଜି(ସୋମବାର) ରାଜ୍ୟସଭାରେ କେନ୍ଦ୍ର ରାଷ୍ଟ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡ. ଭିକେ ସିଂ ଏହି ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ଯ ପ୍ରଦାନ କରିଛନ୍ତି । ତେବେ ଏହି ଯୋଜନାରେ ୫୩ଟି ବିମାନବନ୍ଦର ସାମିଲ ହୋଇଥିବା ସେ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।
ସେହିପରି କୃଷକମାନଙ୍କ କୃଷିଜାତ ଦ୍ରବ୍ୟ ପରିବହନରେ ସାହାଯ୍ୟ କରିବା ପାଇଁ ଅନ୍ତର୍ଜାତୀୟ ତଥା ଜାତୀୟ ଆକାଶ ମାର୍ଗରେ ବିମାନବନ୍ଦରରୁ ପରିବହନ ଲାଗି ଏହି ଯୋଜନା ଆରମ୍ଭ କରାଯାଇଥିଲା । ତେବେ ଏହି ଯୋଜନା ଅଗଷ୍ଟ ୨୦୨୦ ମସିହାରେ ଆରମ୍ଭ କରାଯାଇଥିଲା । ଫଳରେ ଏହା ଦ୍ବାରା କୃଷିଜାତ ଶସ୍ୟ ପରିବହନରେ ଉନ୍ନତି ଅଣା ଯାଇପାରିବ ।
ଏଥିସହ ଉଡାନ ୨.୦ ଗତବର୍ଷ ଅକ୍ଟୋବର ମାସରେ ଘୋଷଣା କରାଯିବା ସହ ଜାରି ରହିଥିବା ବ୍ୟବସ୍ଥାକୁ ଆହୁରି ମଜବୁତ୍ ଓ ପରିବହନ କ୍ଷମତାକୁ ବୃଦ୍ଧି କରାଯାଇଛି ବୋଲି ଭିକେ ସିଂ କହିଛନ୍ତି । ସେହିଭଳି ମୁଖ୍ୟତଃ ପାହାଡିଆ ଅଞ୍ଚଳ, ଉତ୍ତର-ପୂର୍ବଞ୍ଚାଳ ରାଜ୍ୟ ଏବଂ ଆଦିବାସୀ ଅଞ୍ଚଳରୁ ନଷ୍ଟ ହୋଇଯାଉଥିବା ଖାଦ୍ୟ ପଦାର୍ଥକୁ ଶସ୍ୟ ସଂରକ୍ଷଣ ଓ ବିଭିନ୍ନ ମାର୍କେଟକୁ ରପ୍ତାନୀ କରିବା ଏହି ଉଡାନ ଯୋଜନା ମୂଳ ଲକ୍ଷ୍ୟ । ତେବେ ଏହି ଯୋଜନା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ, ପାହାଡିଆ ଏବଂ ଆଦିବାସୀ ଅଞ୍ଚଳର ୨୫ଟି ବିମାନବନ୍ଦରରେ ପ୍ରଥମେ ସେବା ଆରମ୍ଭ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ଅଗରତାଲା, ଅଗଟ୍ଟି, ବାରାପାନି, ଡେରାଡୁନ୍, ଦିବ୍ରୁଗଡ, ଦିମାପୁର, ଗଗଗାଲ, ଇମ୍ଫାଲ, ଜମ୍ମୁ, ଜୋରହାଟ, କୁଲୁ (ଭୁଣ୍ଟାର), ଲେହ, ଲେଙ୍ଗପୁଇ, ଲିଲାବାରୀରୁ ଥିବା ଏହି ସବୁ ବିମାନବନ୍ଦରରୁ ସେବା ଆରମ୍ଭ କରାଯାଇଥିଲା । ଏହା ସହିତ ପାକିଓଙ୍ଗ, ପନ୍ତନଗର, ପିଥୋରାଗଡ, ପୋର୍ଟ ବ୍ଲେୟାର, ରାୟପୁର, ରାଞ୍ଚି, ରୂପସି, ଶିମଲା, ସିଲଚର, ଶ୍ରୀନଗର ଏବଂ ତେଜୁ ମଧ୍ୟ ଏହି ଯୋଜନାରେ ମଧ୍ୟ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ଆଉ ୨୮ଟି ଏଏଆଇ(AAI) ବିମାନବନ୍ଦର ମଧ୍ୟରେ ଏହି ଯୋଜନା ଲାଗୁ କରାଯାଇଥିଲା ।