ନୂଆଦିଲ୍ଲୀ:ଋଷ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବିବାଦ ଶେଷରେ ଭୀଷଣ ଯୁଦ୍ଧର ରୂପ ନେଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ୨ ରାଷ୍ଟ୍ର ମଧ୍ୟରେ ଲଢେଇ । ଏହି ଆଦେଶ ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି କି ଋଷ ୟୁକ୍ରେନକୁ ଚାରିପଟରୁ ଆକ୍ରମଣ କରୁଛି । ବିଶ୍ବ ଯଦି ୟୁକ୍ରେନକୁ ଧ୍ବଂସ ହେବାରୁ ରୋକିବାକୁ ଚାହୁଁଛି ତେବେ ରୋକୁ ବୋଲି ସେ କହିଛନ୍ତି । ତେବେ ଏହି ୨ ରାଷ୍ଟ୍ର ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅନ୍ୟ ଦେଶରେ ମଧ୍ୟ ପ୍ରଭାବ ପଡ଼ିଛି । ଏପରିକି ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଅନ୍ତର୍ଜାତୀୟ ବଜାର ହଲଚଲ ହୋଇଛି । ଭାରତରେ ଅଶୋଧିତ ତୈଳଠୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଅନେକ ପଦାର୍ଥର ଦର ବୃଦ୍ଧି ପାଇଛି ।
- ଅଶୋଧିତ ତୈଳ ଦରରେ ପରିବର୍ତ୍ତନ
ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଅଶୋଧିତ ତୈଳ ଉପରେ ପଡ଼ିଛି । ଋଷ ୟୁରୋପରେ ପ୍ରାକୃତିକ ଗ୍ୟାସର ପ୍ରାୟ ଏକ ତୃତୀୟାଂଶ ଉତ୍ପାଦନ କରିଥାଏ । ବିଶ୍ବ ତୈଳ ଉତ୍ପାଦନର ଋଷିଆର ଭାଗିଦାରୀ ପ୍ରାୟ ୧୦ ପ୍ରତିଶତ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ପ୍ରତି ବ୍ୟାରେଲ ପିଛା 100 ଡଲାର ଅତିକ୍ରମ କରିଛି । ବ୍ରେଣ୍ଟ(Light crude oil) ମୂଲ୍ୟ ବ୍ୟାରେଲ ପିଛା 100.04 ଡଲାର ଛୁଇଁଥିବାବେଳେ WTI ବ୍ୟାରେଲ 95.54 ଡଲାର ଛୁଇଁଛି ।
ଋଷରୁ ତୈଳ କିମ୍ବା ଗ୍ୟାସ ଯୋଗାଣର ପ୍ରଭାବ ଭାରତ ପାଇଁ ସିଧାସଳଖ ଚିନ୍ତାର ବିଷୟ ନୁହେଁ। କିନ୍ତୁ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ନିଶ୍ଚିତ ଭାବରେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହାର କାରଣ ହେଉଛି ଭାରତ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ତୈଳ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ।
- ନ୍ୟୁକ୍ଲିୟର ଏନର୍ଜି(ଆଣବିକ ଶକ୍ତି) କାର୍ଯ୍ୟ ହେବ ପ୍ରଭାବିତ
ଭାରତରେ ୟୁକ୍ରେନ ଦୂତାବାସର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ 2020ରେ 2.69 ବିଲିୟନ ଡ଼ଲାର ବାଣିଜ୍ୟ ହୋଇଥିଲା । ଏଥିରେ ୟୁକ୍ରେନ ଭାରତକୁ 1.97 ବିଲିୟନ ଡଲାର ରପ୍ତାନୀ କରିଛି । ଏଥିସହ ଭାରତ ୟୁକ୍ରେନକୁ 721.54 ମିଲିୟନ ଡଲାର ରପ୍ତାନୀ କରିଛି । ଯୁଦ୍ଧ ହେଲେ ୟୁକ୍ରେନ ସହିତ ଭାରତର ବାଣିଜ୍ୟ ବିପଦରେ ପଡ଼ିବ। ଆକଳନ ଅନୁସାରେ ଭାରତ 2020 ମସିହାରେ ୟୁକ୍ରେନରୁ 1.45 ବିଲିୟନ ଡଲାର ମୂଲ୍ୟର ଖାଇବା ତେଲ କିଣିଥିଲା । ଏହା ବ୍ୟତୀତ ଭାରତ ୟୁକ୍ରେନରୁ ସାର, ଆଣବିକ ରିଆକ୍ଟର ଏବଂ ବଏଲର କିଣୁଛି ।
ଋଷ ପରେ ପରମାଣୁ ରିଆକ୍ଟର ଏବଂ ବଏଲର ଯୋଗାଣକାରୀ ଭାବେ ୟୁକ୍ରେନ ହେଉଛି ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର । ଯୋଗାଣ ବ୍ୟାହତ କାରଣରୁ ଭାରତର ଆଣବିକ ଶକ୍ତି କାର୍ଯ୍ୟକ୍ରମ ପ୍ରଭାବିତ ହୋଇପାରେ । 2014ରେ କ୍ରିମିଆକୁ ନେଇ ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବୃଦ୍ଧି ପାଇବା ପୂର୍ବରୁ ଭାରତ ଏବଂ ୟୁକ୍ରେନ ମୂଲ୍ୟ 3 ବିଲିୟନ ଡଲାରରୁ ଅଧିକ ଥିଲା । ଯଦିଓ ଏହା ସମୟ ସହିତ ଉନ୍ନତ ହୋଇଛି କିନ୍ତୁ ତଥାପି ଏହା ପୁରୁଣା ସ୍ତରରେ ପହଞ୍ଚି ନାହିଁ । ଯୁଦ୍ଧ ହେଲେ ଏହା ପୁଣି ଅସୁବିଧାରେ ପଡିପାରେ ବୋଲି ଆଶଙ୍କା କରାଯାଇଛି ।
- ଭାରତୀୟ ସେୟାର ବଜାରରେ ହାହାକାର