ହଇଦ୍ରାବାଦ:ଆସନ୍ତାକାଲି ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ଆର୍ଥିକ ବର୍ଷ 2022-23 ରେ ଭାରତର ଅର୍ଥବ୍ୟବସ୍ଥାର ସମ୍ଭାବ୍ୟ ଚିତ୍ରକୁ ନେଇ ବିଭିନ୍ନ ଆକଳନ ପ୍ରକାଶ ପାଇଛି । ବିଶ୍ୱ ଅର୍ଥନୀତି ଏବଂ ଭାରତୀୟ ଅର୍ଥନୀତିକୁ ନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆଜି (ମଙ୍ଗଳବାର) ପୂର୍ବାକଳନ ସହ ଏକ ବଡ଼ ବିବୃତ୍ତି ଦେଇଛି । ବିଶ୍ବ ଅର୍ଥନୀତି ବିଷୟରେ ଆଇଏମ୍ଏଫ୍ କହିଛି ଯେ 2023 ମସିହାରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ଆର୍ଥିକ ବର୍ଷ ତୂଳନାରେ ସାମାନ୍ୟ ହ୍ରାସ ପାଇବ । ସେହିପରି ଆଇଏମ୍ଏଫ୍ ଅନୁଯାୟୀ 2022ରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର 3.4 ପ୍ରତିଶତ ରହିଥିବା ବେଳେ 2023 ମସିହାରେ ଏହି ହାର 2.9 ପ୍ରତିଶତକୁ ହ୍ରାସ ପାଇବ । ସେହିପରି ଭାରତର ଅଭିବୃଦ୍ଧି ହାର ବର୍ଷ 2023 ପାଇଁ 6.1 ପ୍ରତିଶତ ରହିବା ନେଇ ଆଇଏମଏଫ ପୂର୍ବାକଳନ କରିଛି ।
ଆଜି (ମଙ୍ଗଳବାର) ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ ଆସନ୍ତା ଆର୍ଥିକ ବର୍ଷ (2023-24)ରେ ଅଭିବୃଦ୍ଧି ହାର 6.1 ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ସେହିପରି ମାର୍ଚ୍ଚ 31 ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଏହା 6.8 ପ୍ରତିଶତ ରହିବ । ଆଇଏମ୍ଏଫ୍ ଆଜି (ମଙ୍ଗଳବାର) ଏହାର ବିଶ୍ୱ ଅର୍ଥନୈତିକ ଆକଳନର ଜାନୁଆରୀ ମାସର ଅପଡେଟ୍ ପ୍ରକାଶ କରିଛି । ଯାହା ଅନୁଯାୟୀ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି 2022 ତୂଳନାରେ ଆନୁମାନିକ 3.4 ପ୍ରତିଶତରୁ 2023 ରେ 2.9 ପ୍ରତିଶତକୁ ହ୍ରାସ ପାଇବାର ସମ୍ଭାବନା ଦେଖାଯାଇଛି । ସେହିପରି ଏହା 2024 ରେ ପୁଣି 3.1 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରିଛି ସଂସ୍ଥା ।