ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମେ ମାସର ପ୍ରଚଣ୍ଡ ଖରା ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି । ମୌସୁମୀ ଅପେକ୍ଷାରେ ରହିଛନ୍ତି ଚାଷୀ । ଗତବର୍ଷ ଦେଶର କିଛି ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଉତ୍ତର ପ୍ରଦେଶର ୬୦ରୁ ଅଧିକ ଜିଲ୍ଲାରେ ମରୁଡି ଯୋଗୁଁ କମ ଅମଳ ହୋଇଥିଲା । ଚଳିତଥର ମୌସୁମୀ ବିଳମ୍ବରେ ଆସିବାକୁ ଥିବାରୁ ଏଥର କମ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ଚାଷୀଙ୍କୁ ପୁଣି ଘାରିଛି ମରୁଡି ଚିନ୍ତା ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଚଳିତ ବର୍ଷ ଦେଶରେ ୧୯ ପ୍ରତିଶତ ଅଞ୍ଚଳରେ ମୌସୁମୀ ଥିବାବେଳେ ସାମାନ୍ୟରୁ କମ ବର୍ଷା ରହିଛି । ସେହିପରି ୧୩ ପ୍ରତିଶତ ଅଞ୍ଚଳରେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥର ବିଳମ୍ବରେ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ପ୍ରତିବର୍ଷ ଜୁନ ୧ ତାରିଖରେ ମୌସୁମୀ କେରଳ ଛୁଇଁଥିବା ବେଳେ ଏଥରେ ଜୁନ ୪ ତାରିଖରେ ମୌସୁମୀ ଆସିବ ବୋଲି ଆକଳନ କରିଛି ।
ଏହି ରାଜ୍ୟମାନଙ୍କରେ କମ ବର୍ଷା ହେବ
ସାଉଥ ଏସିଆନ ସିଜିନାଲ କ୍ଲାଇମେଟ ଆଉଟଲୁକ ଫୋରମର ସୂଚନା ଅନୁଯାୟୀ, ଉତ୍ତର ଭାରତରେ ସାମାନ୍ୟରୁ କମ ବର୍ଷା ହେବାର ୫୨ ପ୍ରତିଶତ ସମ୍ଭାବନା ରହିଛି । ଦେଶର ମଧ୍ୟ ଭାଗରେ ସାମାନ୍ୟରୁ କମ ବର୍ଷା ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀରେ ସାମାନ୍ୟ ବର୍ଷା ହେବାର ଅନୁମାନ କରାଯାଉଛି । ଏହା ବ୍ୟତୀତ ସ୍କାଏମେଟ ପାଣିପାଗ ବିଭାଗ କହିଛି ଯେ, ଏଥର ଭାରତରେ ସ୍ବାଭାବିକ ମୌସୁମୀ ଠାରୁ କମ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ୨୦ ପ୍ରତିଶତ ମରୁଡି ହେବାର ଆଶଙ୍କା କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ: ଏ ବର୍ଷ ଦେଶରେ ସ୍ବାଭାବିକ ରହିବ ମୌସୁମୀ ବର୍ଷା: IMD
ସ୍କାଏମେଟ ପାଣିପାଗ ବିଭାଗ କହିଛି ଯେ, ମଧ୍ୟ-ଉତ୍ତରାଞ୍ଚଳରେ କମ ବର୍ଷା ହେବ । ଗୁଜୁରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଜୁଲାଇ ଓ ଅଗଷ୍ଟରେ କମ ବର୍ଷା ହେବ । ଉତ୍ତର ଭାରତର ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଦ୍ବିତୀୟାର୍ଦ୍ଧରେ ସାମାନ୍ୟ ବର୍ଷା ହେବ । ଏହି ସମୟରେ କେତେକ ଅଞ୍ଚଳ ମାନଙ୍କରେ ମରୁଡି ପରିସ୍ଥିତି ଦେଖାଦେଇପାରେ । ପ୍ରକାଶ ଥାଉକି, ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ଚଳିତ ଥର ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ହେବ । ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲ-ଲିନୋ ପ୍ରଭାବ ରହିପାରେ । ଏଥର ମୌସୁମୀ ବର୍ଷାର ପରିଣାମ ୯୬ ପ୍ରତିଶତ ହେବା ନେଇ ଭାରତୀୟ ପାଣିପାଗ ପୂର୍ବାନୁମାନ କରିଥିଲା ।