ଓଡିଶା

odisha

ETV Bharat / bharat

IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ପ୍ରତିବାଦ - ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶ ବାରାଣସୀରେ ଥିବା ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-ଆଇଆଇଟି କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ ପରେ ଅଶାନ୍ତ କ୍ୟାମ୍ପସ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ଛାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ

IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ପ୍ରତିବାଦ
IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ପ୍ରତିବାଦ

By ETV Bharat Odisha Team

Published : Nov 2, 2023, 9:06 PM IST

IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ଧାରଣା ବେଳେ ହିଂସା

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବାରାଣସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ଆଇଆଇଟି କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଯାଇଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ କିଛି ଅଣଛାତ୍ର କ୍ୟାମ୍ପସରେ ପଶି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । କ୍ୟାମ୍ପସରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗରେ ଆଜି ହଜାର ହଜାର ଛାତ୍ରଛାତ୍ରୀ ଧାରଣା ଦେବା ନାରାବାଜି କରିଥିଲେ । ପୋଲିସ ସେମାନଙ୍କୁ ଧାରଣା ପ୍ରତ୍ୟାହାର କରିବା ପାଇଁ ବୁଝାସୁଝା କରିବା ବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା ।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ 2ଟା ସମୟରେ ଜଣେ ଛାତ୍ରୀ ଓ ତାଙ୍କର ଜଣେ ବନ୍ଧୁ ବୁଲୁଥିବା ବେଳେ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ଅସଦାଚରଣ କରିଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହ ଏହି ଛାତ୍ରୀଙ୍କୁ ସଙ୍ଘବଦ୍ଧ ଅସଦାଚରଣ କରାଯାଇଥିଲା । ଆଜି ସକାଳେ ପୋଲିସରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀ । ଘଟଣା ସମ୍ପର୍କରେ ଜଣାପଡିବା ପରେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୀର୍ଘଦିନର ଏପରି ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ହଜାର ହଜାର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ବିଶ୍ବବିଦ୍ୟାଳୟ ଓ ସ୍ଥାନୀୟ ପୋଲିସ ବିରୋଧରେ ନାରାବାଜୀ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ସହ କ୍ୟାମ୍ପସରେ ପାଠପଢା ଅଚଳ କରିଦେବାକୁ ସେମାନେ ଧମକ ଦେଇଥିଲେ । ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏହି ମାମଲା ସମ୍ପର୍କରେ ସ୍ଥାନୀୟ ଏସସିପି ପ୍ରବୀଣ ସିଂ କହିଛନ୍ତି, ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି । ପିଲାମାନଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି । କ୍ୟାମ୍ପସରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି । ଅଭିଯୁକ୍ତମାନଙ୍କୁ ଶିଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ । ଏହା ସହ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Maoists violence ahead of PM meeting: ମାତିଲେ ନକ୍ସଲ, ଛତିଶଗଡରେ ନେଲେ 4 ମୁଣ୍ଡ

ଏହି ଘଟଣାକୁ ନେଇ ବିଜେପି ଓ ସିଧା ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଟ୍ବିଟ୍‌ କରି ପ୍ରିୟଙ୍କା କହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ମଧ୍ୟ ଛାତ୍ରୀ ସୁରକ୍ଷିତ ନୁହନ୍ତି । ବନାରସ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଆଇଆଇଟି ପରି ଶୀର୍ଷ ସଂସ୍ଥାନରେ ମଧ୍ୟ ଛାତ୍ରୀ ସୁରକ୍ଷିତ ନୁହନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details