ବେଙ୍ଗାଲୁରୁ: 'ହାଇକମାଣ୍ଡ ଆତ୍ମବିଶ୍ବାସର ସହ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯଦି ହାଇକମାଣ୍ଡ କହିବେ, ତେବେ ମୁଁ ଇସ୍ତଫା ଦେବି ।' କର୍ଣ୍ଣାଟକ ବିଧାନ ସୌଧ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ।
ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଆହୁରି ମଧ୍ୟ କହିଛନ୍ତି, ହାଇକମାଣ୍ଡ ଯେ ପର୍ଯ୍ୟନ୍ତ ମୋତେ କ୍ଷମତାରେ ରହିବାକୁ କହିବେ ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବି । ଯଦି ସେ ମୋ ଇସ୍ତଫା ଚାହିଁବେ ତେବେ ମୁଁ ତୁରନ୍ତ ଇସ୍ତଫା ଦେବି । ହେଲେ ବିଜେପି ହାଇକମାଣ୍ଡଙ୍କ ମୋ ଉପରେ ବିଶ୍ବାସ ରହିଛି । ନେତୃତ୍ବ ପରିବର୍ତ୍ତନ ନେଇ ମୁଁ କୌଣସି ପ୍ରତିକ୍ରିୟା ଦେଇନାହିଁ । ମୁଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବି । ଏଣୁ ନେତୃତ୍ବ ପରିବର୍ତ୍ତନ ନେଇ ଆମ ଦଳରେ କୌଣସି ଦ୍ବନ୍ଦ ନାହିଁ । ହାଇକମାଣ୍ଡ ମୋତେ ଗୋଟିଏ ସୁଯୋଗ ଦେଇଛନ୍ତି ଯାହା ମୁଁ ରକ୍ଷା କରିବାକୁ ଚେଷ୍ଟା କରିବି ।