ଥିରୁଅନନ୍ତପୁରମ: କେରଳର ଜଣେ ମହିଳା ଆଇଏଏସ୍ ଅଧିକାରୀ ଖୁଲାସା କରିଛନ୍ତି ଯେ, ସେ ଯେତେବେଳେ ୬ ବର୍ଷର ଥିଲେ, ସେତେବେଳେ ସେ ମଧ୍ୟ ଅସଦାଚାରଣର ଶିକାର ହୋଇଥିଲେ । ସେତେବେଳେ ସେ ଏପରି ଦୁଇ ଜଣ ବ୍ୟକ୍ତିଙ୍କ ଦ୍ବାରା ଅସଦାଚାରଣର ଶିକାର ହୋଇଥିବା ପ୍ରକାଶ କରିଛନ୍ତି । କେରଳର ପଠାନମଥିଟ୍ଟା ଜିଲ୍ଲାର ଜିଲ୍ଲାପାଳ ଡଃ ଦିବ୍ୟା ଏସ୍ ଆୟର ଏକ କାର୍ଯ୍ୟକ୍ରମରେ ତାଙ୍କ ପିଲାଦିନର ଏହି ଦୁର୍ଭାଗ୍ୟପୂର୍ଣ୍ଣ ଅନୁଭୂତିକୁ ବର୍ଣ୍ଣନା କରିଥିଲେ ।
କେବଳ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ସମୟରେ ହୋଇଥିବା ଏଭଳି ଖରାପ ଅନୁଭୂତିକୁ ବର୍ଣ୍ଣନା କରି ସେ କହିଥିଲେ, "ମୁଁ ବହୁତ ଛୋଟ ଥିଲି । ପ୍ରଥମ ଶ୍ରେଣୀରେ ପଢ଼ୁଥିଲି । ସେତେବେଳେ ଦୁଇ ଜଣ ଲୋକ ମୋତେ ଗେଲ କରି ପାଖକୁ ଡାକୁଥିଲେ । ସେତେବେଳେ ସେମାନେ ମୋ ସହ କଣ ପାଇଁ ଲାଗୁଛନ୍ତି ମୁଁ ଜାଣିପାରୁ ନଥିଲି । କିନ୍ତୁ ଯେତେବେଳେ ସେମାନେ ମୋର ଡ୍ରେସ ଖୋଲିବାରେ ଲାଗିଲେ ମୋତେ ବହୁତ ଖରାପ ଲାଗିଥିଲା । ମୁଁ ସେଠାରୁ ଦୌଡ଼ି ପଳାଇଲି । ସେତେବେଳେ ମୁଁ ବହୁତ ଡରି ଯାଇଥିଲି । କିନ୍ତୁ ମୋ ବାପା ଓ ମାଆଙ୍କ ଦ୍ବାରା ମୋତେ ଦିଆଯାଇଥିବା ମାନସିକ ଧୈର୍ଯ୍ୟ କାରଣରୁ ମୁଁ ସେଭଳି ଅବସାଦରୁ ବାହାରି ପାରିଥିଲି । ସେହିଦିନ ଠାରୁ ମୁଁ ଯେଉଁଆଡ଼େ ବି ଯାଉଥିଲି, ସେହି ଦୁଇ ଲୋକଙ୍କୁ ଖୋଜୁଥିଲି । କାଳେ ସେ ବି ସେଠାରେ ନଥିବେ ତ । ସେମାନେ କିଏ ଥିଲେ ମୁଁ ଜାଣିନି । ସେବେଠାରୁ ତାଙ୍କୁ ଆଉ ଦେଖିନି । କିନ୍ତୁ ଏବେ ମଧ୍ୟ ସେମାନଙ୍କ ଚେହେରା ମୋର ମନେଅଛି ।"