ନୂଆଦିଲ୍ଲୀ:ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିଦିନ 3 ଲକ୍ଷରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଏତେମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଦେଖାଦେଇଛି ଅମ୍ଳଜାନର ଅଭାବ । ଏହି ଅଭାବକୁ ଦୂରୀଭୂତ କରିବା ପାଇଁ ଭାରତୀୟ ବାୟୁସେନା(IAF) ଅନ୍ୟ ଦେଶରୁ ବିମାନ ଯୋଗେ ଅକ୍ସିଜେନ ଟ୍ୟାଙ୍କର ଓ ଉପକରଣ ଆଣିଥିବା ସୂଚନା ମିଳିଛି ।
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି ଦେଶ । କୋରୋନା ମହାମାରୀର ଦ୍ବିତୀୟ ଲହର ଦେଶରେ କାୟା ବିସ୍ତାରେ କରିବାରେ ଲାଗିଛି । ବାୟୁ ଦ୍ବାରା ସଂକ୍ରମଣ ବ୍ୟାପୁଥିବାରୁ ଗତବର୍ଷର ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିଛି ଦେଶ । ଏହାରି ମଧ୍ୟରେ ବଡ ସମସ୍ୟା ଭାବରେ ଉଭା ହୋଇଛି ଅମ୍ଳଜାନ ଅଭାବ ସଙ୍କଟ । ଭାଇରସ ଆକ୍ରାନ୍ତଙ୍କ ଫୁସଫୁସକୁ ଆକ୍ରମଣ କରୁଥିବାରୁ ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେଉଛି । ତେବେ ଦେଶରେ ଏହି ସମସ୍ୟା ଦେଖି ଅନ୍ୟ ରାଷ୍ଟ୍ର ଭାରତକୁ ଅମ୍ଳଜାନ ଯୋଗାଇବା ସହିତ ଟାଙ୍କର ଓ ଉପକରଣ ମଧ୍ୟ ଯୋଗାଇଛନ୍ତି । ଫଳରେ ବାୟୁସେନା ଏହି ଅକ୍ସିଜେନ ଟ୍ୟାଙ୍କରକୁ ବିମାନ ଯୋଗେ ଦେଶକୁ ଆଣୁଛି ।