ଜୟପୁର:ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣା । ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଆଜି(ସୋମବାର) ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ମିଗ-୨୧ ଫାଇଟର ବିମାନ ଦୁର୍ଘଟଣା ହୋଇଛି । ଜଣଙ୍କ ଘର ଉପରେ ଖସିପଡିଥିଲା ବିମାନ । ତେବେ ବିମାନଟି ଘର ଉପରେ ପଡିବା କାରଣରୁ ଦୁଇ ମହିଳାଙ୍କ ସହ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାଇଲଟ ସୁରକ୍ଷିତ ରହିଥିବା ଜଣାପଡିଛି ।
ସୂଚନାଅନୁସାରେ, ସୁରତଗୁଡାରୁ ଉଡାଣ ଭରିଥିଲା ମିଗ-୨୧ ଫାଇଟର ବିମାନ । କୌଣସି କାରଣ ବଶତଃ ରାଜସ୍ଥାନର ହନୁମାନଗଡ ଜିଲ୍ଲାର ଭାଲୋଲନଗର ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା ବାୟୁସେନାର ଫାଇଟର ବିମାନ । ବାହାଲୋନନଗର ଜିଲ୍ଲାରେ ଜଣଙ୍କ ଘର ଉପରେ ଖସିପଡିିଥିବା ଜଣାପଡିଛି । ତେବେ ବିମାନ କ୍ରାସ ହେବା ପରେ ଘର ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବଶତଃ ପାଇଲଟ ଜଣଙ୍କ ସୁରକ୍ଷିତ ରହିଛନ୍ତି ।
ଖବର ପରେ ଆର୍ମି ହେଲିକପ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଏସପି ସୁଧିର ଚୌଧୁରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖାଯାଇଥିବା ବେଳେ ବିମାନରୁ ଧୂଆଁ ବାହାରୁଛି । ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି । କୁହାଯାଇଛି ଯେ," ମିଗ-୨୧ଯୁଦ୍ଧ ବିମାନ ସୁରତଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳୁ ଟ୍ରେନିଂ ସମୟରେ ବିମାନ କ୍ରାସ ହୋଇଥିଲା । ତେବେ ପାଇଲଟ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।"
ପ୍ରକାଶଥାଉକି, ଗତ ଜାନୁଆରୀ ମାସରେ ରାଜସ୍ଥାନରେ ମଧ୍ୟ ମିଗ ବିମାନ ଦୁର୍ଘଟଣା ହୋଇଥିଲା । ଜାନୁଆରୀ ୨୮ ତାରିଖରେ ଭରତପୁରରେ ବାୟୁସେନାର ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଥମେ ଏକ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭରତପୁର ଜିଲ୍ଲାପାଳ ସୂଚନା ଦେଇଥିଲେ । ପରେ ଏହା ବାୟୁସେନାର ମିଗ ବିମାନ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ସୂଚନା କରାଯାଇଥିଲା । ସେହି ବିମାନଟି ଉତ୍ତରପ୍ରଦେଶର ଆଗ୍ରା ବାୟୁସେନା ଷ୍ଟେସନରୁ ଉଡାଣ ଆରମ୍ଭ କରିଥିଲା ।