ନୂଆଦିଲ୍ଲୀ:ପ୍ରତିରକ୍ଷା ପ୍ରମୁଖ (CDS) ଜେନେରାଲ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଏହି ତଦନ୍ତ ରିପୋର୍ଟ ବାୟୁସେନା ମୁଖ୍ୟାଳୟରେ ଦାଖଲ କରିପାରେ ତଦନ୍ତକାରୀ ସଂସ୍ଥା ।
ଦେଶକୁ ସ୍ତବ୍ଧ କରିଦେଇଥିବା ଏହି ହାଇ ପ୍ରୋଫାଇଲ ଦୁର୍ଘଟଣାର ତଦନ୍ତ ତ୍ରି-ସେବା ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଜାରି ରଖିଛି । ବାୟୁସେନାର ବରିଷ୍ଠ ଅଧିକାରୀ ଏୟାର ମାର୍ଶଲ ମାନଭେନ୍ଦ୍ର ସିଂ ଏହି ତଦନ୍ତକାରୀ କମିଟିର ନେତୃତ୍ବ ନେଉଥିବାବେଳେ ସ୍ଥଳସେନା ଓ ନୌସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିଛନ୍ତି ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକବକ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଉଦ୍ଧାର ସହ ତଦନ୍ତ ଜାରି ରହିଥିବାବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି । ସେହିପରି ଗତବର୍ଷ (୨୦୨୧) ଶେଷ ସୁଦ୍ଧା ଏହି ତଦନ୍ତ ରିପୋର୍ଟ ଦାଖଲ ହେବା ନେଇ ଆଶା କରାଯାଉଥିଲା ବେଳେ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି । ତେବେ ସଦ୍ୟତମ ସୂଚନା ଅନୁସାରେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ବାୟୁସେନା ମୁଖ୍ୟଙ୍କୁ ଏହି ଟିମ ଚୂଡାନ୍ତ ରିପୋର୍ଟ ଦାଖଲ କରିପାରେ ।