ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସ୍ବଦେଶ ଫେରୁଛନ୍ତି ବିଭିନ୍ନ ଦେଶର ନାଗରିକ । ଆଜି ସକାଳେ ଆଫଗାନିସ୍ତାନର କାବୁଲରୁ ଉଡାଣ ଭରିଥିବା ଭାରତୀୟ ବାୟୁସେନାର C-17 ବିମାନ ଗାଜିଆବାଦର ହିଣ୍ଡନ IAF ବେସରେ ଅବତରଣ କରିଛି । ତେବେ ବିମାନରେ 107 ଜଣ ଭାରତୀୟ ନାଗରିକଙ୍କ ସମେତ 168 ଜଣ ଥିଲେ ଏବଂ ସେମାନଙ୍କର RT-PCR ଟେଷ୍ଟ ପରେ ହିଁ ଯାତ୍ରୀମାନେ ବିମାନ ବନ୍ଦରରୁ ବାହାରକୁ ଆସିବେ ବୋଲି ଜଣା ପଡ଼ିଛି ।
କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଥିବା ବେଳେ ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଫେରିଛନ୍ତି ଆଉ ୮୭ ଭାରତୀୟ । କାବୁଲରୁ ଭାୟା ତାଜିକସ୍ତାନ ଦେଇ ଦିଲ୍ଲୀ ୮୭ ଭାରତୀୟ ଫେରିଥିବା ବେଳେ ସେମାଲଙ୍କ ସହ ୨ ଜଣ ନେପାଳି ନାଗରିକ ଫେରିଥିବା ସୂଚନା ରହିଛି । ତେବେ ବିମାନରେ ଫେରିବାବେଳେ ‘ଭାରତ ମାତା କି ଜୟ’ ନାରା ଦେଇଥିଲେ ଯାତ୍ରୀମାନେ । ସେହିପରି ଦୋହା ଦେଇ କାବୁଲରୁ ଫେରୁଛନ୍ତି ଆଉ ୧୩୫ ଭାରତୀୟ । କାବୁଲରୁ ପ୍ରତିଦନ ଭାରତ ଆସିବା ପାଇଁ ଦୁଇଟି ବିମାନ ଉଡାଣକୁ ଅନୁମତି ମିଳିଛି ।