ଓଡିଶା

odisha

ETV Bharat / bharat

ହସ୍ପିଟାଲରୁ ଫେରିଥିବା ବାପାଙ୍କୁ ଘଣ୍ଟିଲା ସିବିଆଇ, ଝିଅ କହିଲେ କିଛି ହେଲେ କାହାକୁ ଛାଡିବିନି - ଲାଲୁ ପ୍ରସାଦ ଯାଦବ

ବାପା ଲାଲୁଙ୍କ ଘାଣ୍ଟିଲା ସିବିଆଇ । ଝିଅ ରୋହିଣୀ ଆଚାର୍ଯ୍ୟ କହିଲେ, ବାପାଙ୍କର କିଛି ହେଲେ କାହାକୁ ଛାଡିବିନି, ଦିଲ୍ଲୀ ଦୋହଲାଇ ଦେବି । ଅଧିକ ପଢନ୍ତୁ

ବାପାଙ୍କୁ ଘଣ୍ଟିଲା ସିବିଆଇ, ଝିଅ କହିଲେ କିଛି ହେଲେ କାହାକୁ ଛାଡିବିନି
ବାପାଙ୍କୁ ଘଣ୍ଟିଲା ସିବିଆଇ, ଝିଅ କହିଲେ କିଛି ହେଲେ କାହାକୁ ଛାଡିବିନି

By

Published : Mar 7, 2023, 8:41 PM IST

ନୂଆଦିଲ୍ଲୀ:ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଘଣ୍ଟାଧିକ କାଳ ଜେରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ତେବେ ଏଥିରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚେତାବନୀ ଦେଇଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ । ତାଙ୍କ ବାପାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଇଛି । ବାପାଙ୍କର କିଛି ହେଲେ ସେ କାହାକୁ ଛାଡିବେ ନାହିଁ ବୋଲି ରୋହିଣୀ ଟ୍ବିଟ କରି ଚେତାବନୀ ଦେଇଛନ୍ତି ।

ଟ୍ବିଟରରେ ରୋହିଣୀ ପୋଷ୍ଟ କରିଛନ୍ତି, ‘‘ବାପାଙ୍କୁ ନିରନ୍ତର ହଇରାଣ କରାଯାଉଛି । ଯଦି ତାଙ୍କର କିଛି ହୁଏ, ତେବେ ମୁଁ କାହାକୁ ଛାଡିବି ନାହିଁ । ତାଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ । ଏହି ସମସ୍ତ ଘଟଣା ମନେ ରହିବ । ସମୟ ଶକ୍ତିଶାଳୀ, ଏକଥା ମନେ ରଖିବାକୁ ହେବ ।’’ ଅନ୍ୟ ଏକ ଟ୍ବିଟରେ ରୋହିଣୀ ଲେଖିଛନ୍ତି, ‘‘ଏମାନେ ବାପାଙ୍କୁ ହଇରାଣ କରୁଛନ୍ତି । ଏହି କାରଣରୁ ଯଦି ତାଙ୍କର କିଛି ସମସ୍ୟା ଦେଖାଯାଏ, ତାହାଲେ ମୁଁ ଦିଲ୍ଲୀ ଆସନ ମଧ୍ୟ ଦୋହଲାଇ ଦେବି ।’’ ନିକଟରେ ଅସୁସ୍ଥ ପିତାଙ୍କୁ କିଡନୀ ଦାନ କରି ଚର୍ଚ୍ଚାରେ ଥିଲେ ଲାଲୁଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ । ସିଙ୍ଗାପୁରର ଏକ ହସ୍ପିଟାଲରେ ଦୀର୍ଘ ଦିନର ଚିକିତ୍ସା ପରେ ଲାଲୁଙ୍କ ସଫଳ କିଡନୀ ପ୍ରତିରୋପଣ କରାଯାଇଥିଲା । ନିକଟରେ ଲାଲୁ ଓ ରୋହିଣୀ ସିଙ୍ଗାପୁରରୁ ଫେରିଛନ୍ତି ।

ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଲାଲୁ ପ୍ରସାଦ ଓ ତାଙ୍କ ରାଜ୍ୟସଭା ସାଂସଦ ଝିଅ ମିଶା ଭାରତୀଙ୍କୁ ଜେରା କରିଥିଲା । ଉଭୟ ବାପ-ଝିଅଙ୍କୁ ଏକାଧିକ ଘଣ୍ଟା ଜେରା କରିଥିଲା କେନ୍ଦ୍ରୀୟ ସଂସ୍ଥା । ଗତକାଲି ମା’ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କୁ ମଧ୍ୟ ଜେରା କରିଥିଲା କେନ୍ଦ୍ରୀୟ ସଂସ୍ଥା । ଲାଲୁଙ୍କ ପରିବାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

ତେବେ ଏହି ‘‘ଲ୍ୟାଣ୍ଡ ଫର ଜବ’’ ଘୋଟାଲା ମାମଲାରେ ଗତବର୍ଷ ଅକ୍ଟୋବରରେ ଚାର୍ସସିଟ ଦାଖଲ କରିସାରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପୂର୍ବତନ ରେଳମନ୍ତ୍ରୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବିଡି ଦେବୀ, ସାଂସଦ ଝିଅ ମିଶା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ମୋଟ 13 ଜଣଙ୍କୁ ଏହି ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଥିଲା ସିବିଆଇ । 2004 ରୁ 2009 ମଧ୍ୟରେ ଲାଲୁ ମନମୋହନ ସିଂ ସରକାରରେ ରେଳ ମନ୍ତ୍ରୀ ଦାୟିତ୍ବରେ ଥିଲେ । ତାଙ୍କ କାର୍ଯ୍ୟକାଳରେ ଏହି ଘୋଟାଲା ହୋଇଥିବା ସିବିଆଇ ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details