ଓଡିଶା

odisha

‘ମୋ ସ୍ତ୍ରୀ ବିରୋଧରେ ଅଭିଯୋଗ ପ୍ରମାଣିତ ହେଲେ ସାମାଜିକ ଜୀବନରୁ ଅବସର ନେଇଯିବି ’

By ETV Bharat Odisha Team

Published : Sep 14, 2023, 5:51 PM IST

ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ କମ୍ପାନୀ ନାମରେ 10 କୋଟି ଟଙ୍କାର କେନ୍ଦ୍ରୀୟ ସବସିଡି ପାଇଥିବା ଅଭିଯୋଗ । ଅଭିଯୋଗ ଖଣ୍ଡନ କରିବା ସହ ପ୍ରମାଣିତ ହେଲେ ସାମାଜିକ ଜୀବନରୁ ଅବସର ନେବେ, କହିଲେ ବିଶ୍ବଶର୍ମା । ଅଧିକ ପଢନ୍ତୁ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଗୌହାଟି: ପତ୍ନୀଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଦୁର୍ନୀତି ଅଭିଯୋଗ ନେଇ ଖପ୍ପା ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଯଦି ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ସେ ସାମାଜିକ ଜୀବନରୁ ଅବସର ନେଇଯିବେ ବୋଲି ବିଶ୍ବଶର୍ମା କହିବାକୁ ପଛାଇ ନାହାନ୍ତି । ବିଶ୍ବଶର୍ମାଙ୍କ ସ୍ତ୍ରୀ ରିଙ୍କି ଶର୍ମା ଭୂୟାଁଙ୍କ ଦ୍ବାରା ପରିଚାଳିତ ଏକ କମ୍ପାନୀ କେନ୍ଦ୍ରୀୟ ଯୋଜନା ଅଧୀନରେ 10 କୋଟି ଟଙ୍କାର ସବସିଡି ପାଇଥିବା ଅଭିଯୋଗ କରିଥିଲା କଂଗ୍ରେସ ।

କଂଗ୍ରେସ ସାଂସଦ ଗୌରବ ଗୋଗୋଇ ହିମନ୍ତଙ୍କ ପତ୍ନୀଙ୍କ ନିୟନ୍ତ୍ରଣାଧୀନ କମ୍ପାନୀ ଏହି କେନ୍ଦ୍ରୀୟ ସବସିଡି ପାଇଥିବା ଅଭିଯୋଗ କରିଥିଲେ । କେନ୍ଦ୍ରୀୟ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା’ ମାଧ୍ୟମରେ ଏହି କମ୍ପାନୀ ପ୍ରାୟ 10କୋଟି ଟଙ୍କାର ସବସିଡି ଗ୍ରହଣ କରିଥିବା ଅଭିଯୋଗ କରି ଏକ୍ସରେ ଟ୍ବିଟ୍‌ କରିଥିଲେ ଗୌରବ । ସଂସଦରେ ପ୍ରଶ୍ନକାଳରେ ସଂଗୃହୀତ ହୋଇଥିବା ଏହି ସମ୍ପର୍କିତ କିଛି ଦଲିଲ୍‌ ମଧ୍ୟ ସେ ତାଙ୍କ ଟ୍ବିଟ୍‌ରେ ସଂଲଗ୍ନ କରିଥିଲେ । ଏଥିରେ ଏକ ମେଗା ଫୁଡ୍‌ପାର୍କ ସ୍କିମ୍‌ରେ ଆସାମର ଏକ କମ୍ପାନୀକୁ 10 କୋଟି ସବସିଡି ମିଳିବା ନେଇ ଉଲ୍ଲେଖ ରହିଛି । ହେଲେ ଏହି ରାଶି ଅନୁମୋଦିତ ହୋଇଥିଲେ ସୁଦ୍ଧା ଏବେ ସୁଦ୍ଧା ପ୍ରଦାନ କରାଯାଇନି । ଏହି କମ୍ପାନୀ ବିଶ୍ବଶର୍ମାଙ୍କ ପତ୍ନୀଙ୍କ ନିୟନ୍ତ୍ରଣରେ ଥିବା ଗୋଗୋଇ ଦର୍ଶାଇବାକୁ ଚାହିଁଛନ୍ତି । ସେହିପରି ଅନ୍ୟ କେତେ ଜଣେ ବିଜେପି ନେତା ଏହି କେନ୍ଦ୍ରୀୟ ଯୋଜନାର ଲାଭ ନେଇଛନ୍ତି ବୋଲି ମଧ୍ୟ ସାଂସଦ ଗୌରବ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ! ସୁପ୍ରିମକୋର୍ଟଙ୍କ ଉଦବେଗ

ଏହା ପରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଏହି ଅଭିଯୋଗରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଗୌରବ ଗୋଗୋଇଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେଇ ବିଶ୍ବଶର୍ମା କହିଛନ୍ତି, "ଏହି ରିପ୍ଲାଇ ହିଁ ସ୍ପଷ୍ଟ କରିଦେଇଛି ଯେ, କେନ୍ଦ୍ର ସରକାର କୌଣସି ସବସିଡି ରାଶି ପ୍ରଦାନ କରିନାହାନ୍ତି । ନାଁ ମୋର ସ୍ତ୍ରୀ କିମ୍ବା ତାଙ୍କ ନିୟନ୍ତ୍ରଣରେ ଥିବା କମ୍ପାନୀ କୌଣସି ସରକାରୀ ସବସିଡ ପ୍ରାପ୍ତ କରିଛନ୍ତି । ଯଦି ଆସିଥିବା ଏପରି ଅଭିଯୋଗକୁ କେହି ସତ୍ୟ ପ୍ରମାଣିତ କରନ୍ତି, ତେବେ ମୁଁ ଏହାର ଦଣ୍ଡକୁ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ଅଛି । ସାମାଜିକ ଜୀବନରୁ ମଧ୍ୟ ଅବସର ନେବାକୁ ମୁଁ ପ୍ରସ୍ତୁତ ଅଛି ।" ଏହି ରିଟ୍ବିଟରେ ବିଶ୍ବଶର୍ମା ମଧ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଟ୍ୟାଗ୍‌ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details