ଚେନ୍ନାଇ: ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ଡିଏମକେ ସମେତ କଂଗ୍ରେସ ଓ ନବଗଠିତ ଇଣ୍ଡିଆ ମେଣ୍ଟକୁ କ୍ରମାଗତ ଶାଣିତ ଟାର୍ଗେଟ କରିବାରେ ଲାଗିଛି । କଂଗ୍ରେସ କାହିଁକି ଏହି ବୟାନକୁ ଏବେ ପର୍ଯ୍ୟନ୍ତ ନିନ୍ଦା କରୁନାହିଁ ବୋଲି ବିଜେପି ବାରମ୍ବାର ଅଭିଯୋଗ କରୁଛି । ଏହାରି ମଧ୍ୟରେ ଭିନ୍ନ ଢଙ୍ଗରେ ନିଜ ସପକ୍ଷରେ ସଫେଇ ରଖିଛନ୍ତି ଉଦୟାନିଧି । ଉଦୟାନିଧି କହିଛନ୍ତି, ସେ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବେ । ସେ ସନାତନ ଧର୍ମ ବିରୋଧରେ ନୁହେଁ ବରଂ ସନାତନ ଧର୍ମରେ ଥିବା ଜାତିପ୍ରଥା ସମ୍ପର୍କରେ କହିଥିଲେ ।
ଦେଶବ୍ୟାପୀ ବିଜେପି ଓ ଦକ୍ଷିଣପନ୍ଥୀ ସଂଗଠନମାନଙ୍କର ପ୍ରବଳ ବିରୋଧ ଓ ରାଜନୈତିକ ବୟାନବାଜୀ ମଧ୍ୟରେ ଉଦୟାନିଧି ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,‘‘ ମୁଁ ଉକ୍ତ କାର୍ଯ୍ୟକ୍ରମରେ ସନାତନ ଧର୍ମ ସମ୍ପର୍କରେ ଯାହା କହିଥିଲି, ବାରମ୍ବାର ଦୋହରାଇବି । ମୁଁ କେବଳ ଜାତିପ୍ରଥାକୁ ବିରୋଧ କରି ଏକଥା କହିଥିଲି । କେବଳ ହିନ୍ଦୁ ଧର୍ମକୁ ନୁହେଁ ବରଂ ସମସ୍ତ ଧର୍ମରେ ଥିବା ଜାତିପ୍ରଥାକୁ ନିନ୍ଦା କରି ଏପରି କହିଥିଲି । ମୋ କହିବାର ଉଦ୍ଦେଶ୍ୟ ମାତ୍ର ସେତିକି ଥିଲା । ମୋ ବିରୋଧରେ ଯାହା ମାମଲା ହୋଇଛି, ତାହା ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ବିଜେପି ଏବେ ‘ଇଣ୍ଡିଆ’ ମେଣ୍ଟ ଗଠନ ଦେଖି ଭୟଭୀତ ହୋଇପଡିଛି । ଭୟଭୀତ ହେବା କାରଣରୁ ସେମାନେ ଏପରି ପ୍ରସଙ୍ଗ ଉଠାଉଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ, ନୀତିଶ କୁମାର ଓ ଅନ୍ୟମାନେ ମଧ୍ୟ ମତ ରଖନ୍ତୁ ବୋଲି ବିଜେପି ଚାହୁଁଛି । ’’