ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ଲଢେଇ ରୋଚକ ସ୍ଥିତିରେ ରହିଛି । ଏନସିପିରେ ବିଭାଜନ ପରେ ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ୍ ପାୱାର ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବୁଧବାର ଶକ୍ତି ପ୍ରଦର୍ଶନ ଅବସରରେ ସେ ନିଜର ମୁଖ୍ୟମନ୍ତ୍ରୀ ହେବାର ଅଭିଳାଶା ଜଣାଇଛନ୍ତି । ବାନ୍ଦ୍ରାଠାରେ ସମର୍ଥକଙ୍କୁ ସମ୍ବୋଧିତ କରି ଅଜିତ କହିଛନ୍ତି ଯେ, ଲୋକଙ୍କ କଲ୍ୟାଣ ପାଇଁ କିଛି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଏହାସହିତ ଦାଦା ଶରଦ ପାୱାରଙ୍କ ଆର୍ଶୀବାଦ ମଧ୍ୟ ମାଗିଛନ୍ତି ।
ଏହି ଅବସରରେ ଅଜିତ ପାୱାର ଏନସିପି ସୁପ୍ରିମୋ ତଥା ଦାଦା ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଦାଦାଙ୍କୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି । ଶରଦ ପାୱାରଙ୍କୁ କଟାକ୍ଷ କରି ଅଜିତ୍ କହିଛନ୍ତି, ''ମୋତେ ସମସ୍ତଙ୍କ ଆଗରେ ଭିଲିଆନ ସଜେଇ ଥିଲେ, କିନ୍ତୁ ତଥାପି ଆପଣଙ୍କ ପ୍ରତି ମୋ ମନରେ ସମ୍ମାନ ଅଛି । ଆପଣଙ୍କୁ ୮୩ ବର୍ଷ ହେଲାଣି । ଏବେ ଅନ୍ୟମାନଙ୍କୁ ସୁଯୋଗ ଦେବା ଦରକାର । ଆମକୁ ଆର୍ଶୀବାଦ ଦିଅନ୍ତୁ ଏବଂ ଆମେ ଆପଣଙ୍କ ଦୀର୍ଘ ଜୀବନ କାମନା କରିବୁ ।'' ଅଜିତ୍ ପାୱାର ବିଜେପିର ଉଦାହରଣ ଦେଇ କହିଛନ୍ତି ଯେ, ବିଜେପି ନେତାମାନେ ୭୫ ବର୍ଷରେ ଅବସର ନିଅନ୍ତି । ଏଲ କେ ଆଡଭାନି ଏବଂ ମୁରଲି ମନୋହର ଯୋଶୀ ଏହାର ଉଦାହରଣ । ଏହାଦ୍ବାରା ନୂତନ ପିଢିଙ୍କୁ ଆଗକୁ ବଢିବାକୁ ସୁଯୋଗ ମିଳେ ।