ଗାନ୍ଧୀନଗର:ଆଜି ଅପରାହ୍ନରେ ଶପଥ ନେବେ ଗୁଜୁରାଟର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଗତକାଲି (ରବିବାର) ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କ ନା ଉପରେ ମୋହର ମାରିଛନ୍ତି ବିଧାୟକ ଦଳ । ମୁଖ୍ୟମନ୍ତ୍ରୀ ପାଇଁ ଅନେକ ହେଭିୱେଟ ଦାବିଦାର ଥିଲେ । ମାତ୍ର ଆଦୌ ଚର୍ଚ୍ଚାରେ ନଥିବା ଭୂପେନ୍ଦ୍ର ବାଜି ମାରିନେଲେ । ନୂଆ ମୁଖ୍ୟମନ୍ତ୍ରୀ ଚୟନର କିଛି ଘଣ୍ଟା ପରେ ଆଶାୟୀ ଥିବା ତଥା ବିଜୟ ରୂପାଣୀ ସରକାରଙ୍କ ଦୁଇ ନମ୍ବର ମନ୍ତ୍ରୀ ନୀତିନ ପଟେଲ ନିଜ ଆଶାକୁ ଚାପି ରଖିପାରି ନାହାଁନ୍ତି ।
ରବିବାର ସଂଧ୍ୟାର ମେହଶାଣା ସହରରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିନ ସିଧା ସଳଖ ନହେଲେ ମଧ୍ୟ ବୁଲେଇ ବଙ୍କେଇ ଅନେକ କଥା କହିଛନ୍ତି । ନୀତିନ କହିଛନ୍ତି ତାଙ୍କ ରାଜନୀତି ଜୀବନରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ସେ ଏକାକି ନେତା ନୁହଁନ୍ତି ଯିଏ କି କୌଣସି ଅବହେଳିତ ହୋଇଛନ୍ତି କିମ୍ବା ଦଳ ଉପେକ୍ଷା କରିଛି । ଏମିତି ଅନେକ ନେତା ଏହା ପୂର୍ବରୁ ଆଶା ରଖି ନିରାଶ ହୋଇଛନ୍ତି । ସେଥିରୁ ସେ ମଧ୍ୟ ଜଣେ । ସେହିପରି ନିଜ ସମର୍ଥକଙ୍କୁ ବୁଝାଇବାକୁ ଯାଇ ନିଜେ ସାନ୍ତ୍ବନା ଦେଇଛନ୍ତି ।
ନୀତିନ କହିଛନ୍ତି ବିଜେପି ଏକ ଦଳ ନୁହେଁ ଗୋଟିଏ ବିଚାରଧାରା । ଗୋଟିଏ ସଂସ୍କାର, ଭାରତୀୟ ମୁଲ୍ୟବୋଧକୁ ନେଇ ପରିଚାଳିତ ହେଉଥିବା ଦଳ । ଏଠି ଦଳର ନିଷ୍ପତି ସର୍ବମାନ୍ୟ । କେହି ଦଳର ଉର୍ଦ୍ଧ୍ବରେ ନୁହଁନ୍ତି । ଦଳ ଏକ ଲମ୍ବା ରାଜନୀତି ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ଦେଶର ସମ୍ପୂର୍ଣ୍ଣ ସୁରକ୍ଷା, ବିକାଶ ଓ ବିଶ୍ବଗୁରୁ ଅଭିମୁଖେ ଅଗ୍ରସର ହେଉଛି । ତେଣୁ ଏଠି କୌଣସି ବ୍ୟକ୍ତିଗତ ସ୍ବାର୍ଥ ନଥାଏ । ଦଳ ଯାହା ଠିକ ଚିନ୍ତା କରିଛି ତାହା କରିଛି ।