ନୂଆଦିଲ୍ଲୀ:ଅନଲାଇନ ବେଟିଂ ବିଜ୍ଞାପନ ରୋକିବା ନେଇ ନିର୍ଦ୍ଦେଶାବଳୀ ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ସମସ୍ତ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ସଂକ୍ରାନ୍ତୀୟ ବିଜ୍ଞାପନକୁ ରୋକିବା ଓ ପ୍ରସାରଣ ନକରିବା ପାଇଁ ଜାରି ଗାଇଡଲାଇନରେ କୁହାଯାଇଛି । ମୁଖ୍ୟସ୍ରୋତ ଗଣମାଧ୍ୟମ ବ୍ୟତୀତ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏପରି ଅନେକ ବଜ୍ଞାପନ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଏହି ସବୁ ଫର୍ମାଟରେ ଅନଲାଇନ ବେଟିଂ ନେଇ ଏକାଧିକ ଓ୍ବେବସାଇଟ ମଧ୍ୟ ଉପଲବ୍ଧ ହେଉଛି । ଯେଉଁଥି ପାଇଁ ଏପରି ବେଟିଂ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି ମନ୍ତ୍ରଣାଳୟ କହିଛି ।
ଖେଳରେ ବେଟିଂ କିମ୍ବା ଜୁଆ ଦେଶର ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରାଯାଇଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଓ ମୁଖ୍ୟସ୍ରୋତ ଗଣମାଧ୍ୟରେ ପ୍ରଚାର ପ୍ରସାର ମଧ୍ୟ ବଢିବାରେ ଲାଗିଛି । ଏପରି ସ୍ଥଳେ ଅନଲାଇନ ବେଟିଂ ବିଜ୍ଞାପନ ଏପରି କାର୍ଯ୍ୟକୁ ପୁଣି ପ୍ରୋତ୍ସାହନ ଯୋଗାଇବାରେ ଲାଗିଛି । ବିଶେଷ ଭାବେ ଯୁବପୁଢି ଓ ଛାତ୍ରଛାତ୍ରୀ ଏହା ଦ୍ବାରା ପ୍ରଭାବିତ ହେବାର ସର୍ବାଧିକ ଆଶଙ୍କା ରହିଛି ।