ହାଇଦ୍ରାବାଦ:ପ୍ରେମିକାକୁ ହତ୍ୟା କରି ମ୍ୟାନହୋଲରେ ଫିଙ୍ଗିବା ଘଟଣା । ହତ୍ୟା ପାଇଁ ୩ ମାସ ଆଗରୁ ଷଡଯନ୍ତ୍ର ରଚିଥିଲା ପୂଜକ ପ୍ରେମିକ । କେମିତି ମଣିଷକୁ ହତ୍ୟା କରିହେବ ତାହା ଇଣ୍ଟରନେଟରେ ସର୍ଚ୍ଚ କରିଥିଲା । ହତ୍ୟାକାଣ୍ଡ ପାଇଁ ସହର ଉପକଣ୍ଠରେ ଏକ ନିଛାଟିଆ ସ୍ଥାନ ଖୋଜିଥିଲା । ସୁଚିନ୍ତିତ ଯୋଜନା କରିବା ପରେ ସେ ଅପସରାକୁ ନିର୍ମମ ଭାବେ ହତ୍ୟା କରିଥିଲା ଏବଂ କାରରେ ମୃତଦେହ ଆଣି ମ୍ୟାନହୋଲରେ ପକାଇ ଦେଇଥିଲା । ଗତ ୪ ତାରିଖରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଅଭିଯୁକ୍ତ ପୂଜକ ଆୟାଗିରି ଭେଙ୍କଟ ସୂର୍ଯ୍ୟ ସାଇକ୍ରିଷ୍ଣା ପୂର୍ବରୁ ବିବାହିତ ଥିଲା । ତା'ର ଗୋଟିଏ ଛୁଆ ମଧ୍ୟ ରହିଛି । ତଥାପି ଅପସରାଙ୍କ ସହ ତା'ର ଅନୈତିକ ସମ୍ପର୍କ ରଖିଥିଲା । ଯେଉଁ କାରଣରୁ ମହିଳା ଗର୍ଭବତୀ ହୋଇଥିଲେ । ସେ ବିବାହ ପାଇଁ ପୂଜକ ଉପରେ ଚାପ ପକାଉଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୂଜକ ପ୍ରେମିକା ଅପସରାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା । ନିର୍ମମ ଭାବେ ହତ୍ୟା କରି ସହରର ମ୍ୟାନହୋଲରେ ଫିଙ୍ଗି ଦେଇଥିଲା । ଅଭିଯୁକ୍ତକୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ତାକୁ ୧୪ ଦିନିଆ ରିମାଣ୍ଡରେ ନେଇଛି ।