ହାଇଦ୍ରାବାଦ:ସମ୍ମାନ ନଜଣାଇବାରୁ ଉତକ୍ଷିପ୍ତ ହୋଇ ଉଠିଲେ ବିଧାୟକ । ସର୍ବସାଧାରଣ ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଆହତ କରିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଲେ । ଏପରି ଅଭିଯୋଗ ଆସିଛି ହାଇଦ୍ରାବାଦ ସହରରୁ । ହାଇଦ୍ରାବାଦର ଚାରମିନାର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ୍ ମୁସଲିମନ୍ (AIMIM) ର ବିଧାୟକ ମମତାଜ ଅହମ୍ମଦ ଖାନ ତାଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିଥିବା ଅଭିଯୋଗ ନେଇ ଥାନାରେ ପହଞ୍ଚିଛନ୍ତି ଗୁଲାମ ଘାସ ଜେଲାନି ନାମକ ଜଣେ ସ୍ଥାନୀୟ ବାସିନ୍ଦା ।
ଅଭିଯୋଗକାରୀ ଗୁଲାମ ଘାସ ଜେଲାନି ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକ ତାଙ୍କର ପଡ଼ୋଶୀ । ମଧ୍ୟରାତ୍ରିରେ ଚାରମିନାର ବସଷ୍ଟାଣ୍ଡରେ ବିଧାୟକ ବସିଥିବାବେଳେ ସେ ତାଙ୍କୁ ଦେଖି ନଥିଲେ । ତେବେ ତାଙ୍କୁ କାହିଁକି ସଲାମ କଲେନାହିଁ ବୋଲି ପ୍ରଶ୍ନ କରିବା ସହ ବିଧାୟକ ଓ ତାଙ୍କର ସଶସ୍ତ୍ର ସୁରକ୍ଷାକର୍ମୀ ତାଙ୍କୁ ମାଡ ମାରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।