ଓଡିଶା

odisha

ETV Bharat / bharat

ତେଲେଙ୍ଗାନା ରଣ: କ୍ୟାପିଟାଲ ସିଟି ହାଇଦ୍ରାବାଦ ଜନମତ ହେବ ନିର୍ଣ୍ଣାୟକ !

Telangana Election: କିଏ ଜିତିବ ତେଲେଙ୍ଗାନା ରଣ ? ବିଆରଏସ୍ ; କଂଗ୍ରେସ ; ନା ବିଜେପି ? ନଭେମ୍ବର ୩୦ ଭୋଟ୍ ହାତେଇବାକୁ ସବୁ ଦଳ ଖଟାଇ ଦେଇଛନ୍ତି ବଳ। ରାଜନୀତି ବିଷାରଦଙ୍କ ଆକଳନ, ରାଜ୍ୟ ଜନାଦେଶରେ ନିର୍ଣ୍ଣାୟକ ଭୂମିକା ନେବ କ୍ୟାପିଟାଲ୍ ସିଟି ହାଇଦ୍ରାବାଦର ରେଜଲ୍ଟ । ଅଧିକ ପଢ଼ନ୍ତୁ,

ତେଲେଙ୍ଗାନା ନିର୍ବାଚନ: କ୍ୟାପିଟାଲ ସିଟି ହାଇଦ୍ରାବାଦ ଜନମତ ହେବ ନିର୍ଣ୍ଣାୟକ !
ତେଲେଙ୍ଗାନା ନିର୍ବାଚନ: କ୍ୟାପିଟାଲ ସିଟି ହାଇଦ୍ରାବାଦ ଜନମତ ହେବ ନିର୍ଣ୍ଣାୟକ !

By ETV Bharat Odisha Team

Published : Nov 28, 2023, 2:20 PM IST

ହାଇଦ୍ରାବାଦ: ନଭେମ୍ବର ୩୦ରେ ତେଲେଙ୍ଗାନାରେ ମତଦାନ । ଡିସେମ୍ବର ୩ରେ ଭୋଟ୍ ଗଣତି ସହ ଆସିବ ଫଳାଫଳ । ଦକ୍ଷିଣ ଭାରତର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ତେଲେଙ୍ଗାନାରେ ବିଜୟ ପାଇଁ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ରାଜନୈତିକ ଶକ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ୍), କଂଗ୍ରେସ ଏବଂ ବିଜେପି । ଶାସକ ବିଆରଏସ୍ ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ବେଳେ, କମ୍ ବ୍ୟାକ୍ ପାଇଁ ପ୍ରଚେଷ୍ଟା କରୁଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ଆଉ ଏହି ଦୁଇ ଦଳଙ୍କୁ ଚକମା ଦେବାକୁ ଅଣ୍ଟା ଭିଡ଼ିଛି ଭାରତୀୟ ଜନତା ପାର୍ଟି। ମତଦାନକୁ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ, ରାଜ୍ୟ ନିର୍ବାଚନ ଫଳାଫଳକୁ ନେଇ ବଡ଼ ଆକଳନ କରିଛନ୍ତି ନିର୍ବାଚନୀ ବିଶାରଦ। ସମୀକ୍ଷକଙ୍କ ଗଣନା, ତେଲେଙ୍ଗାନାରେ ଏଥର କିଏ କରିବ ରାଜ୍ ? କାହାକୁ ମିଳିବ ପୂର୍ଣ୍ଣ ବହୁମତ ? ତାହା ନିର୍ଣ୍ଣୟ କରିବ ନବାବ ସିଟି 'ହାଇଦ୍ରାବାଦ' ।

୧୧୯ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ଆସନରୁ, କେବଳ କ୍ୟାପିଟାଲ ସିଟି ହାଇଦ୍ରାବାଦ ଅଞ୍ଚଳରେ ରହିଛି ୨୯ ଆସନ । ତେଣୁ ଏହି ୨୯ ଆସନରୁ ଯେଉଁ ଦଳ ସିଂହଭାଗ ଆସନ ହାତେଇବ, ସେହି ଦଳ ଦ୍ବାରା ସରକାର ଗଠନ ସମ୍ଭାବନା ଅଧିକ। ୨୦୧୮ ବିଧାନସଭା ନିର୍ବାଚନରେ ହାଇଦ୍ରାବାଦର ୨୯ ଆସନରୁ, ବିଆରଏସ ଜିତିଥିଲା ସର୍ବାଧିକ ୧୮ ସିଟ୍। ଏମଆଇଏମ ୭ଟି ଆସନ ସହ ଦ୍ବିତୀୟ ସ୍ଥାନରେ ଥିବା ବେଳେ, କଂଗ୍ରେସ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଆସନ ।

ଏହା ମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଆରଏସ-କଂଗ୍ରେସ-ବିଜେପି ମଧ୍ୟରେ ମେଗା ବ୍ୟାଟେଲ

ଗତ କିଛି ଦଶନ୍ଧି ଧରି ହାଇଦ୍ରାବାଦ ମହାନଗରୀର ବିକାଶ ଦ୍ରୁତଗତିରେ ଆଗକୁ ବଢୁଛି। ଆସଫଜାହିସ୍ ଏବଂ ନିଜାମଶାହିଙ୍କ ଶାସନକାଳରୁ ଆଜି ପର୍ଯ୍ୟନ୍ତ, ତେଲେଙ୍ଗାନାର ବିସ୍ତାରିତ ରାଜଧାନୀ ହାଇଦ୍ରାବାଦ ସହର ଏବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି, ଫାର୍ମାସ୍ୟୁଟିକାଲ୍ସ ଏବଂ ସେବା କ୍ଷେତ୍ରରେ ହବ୍ ଭାବେ ପ୍ରସିଦ୍ଧି ଲାଭ କରିଛି । ହାଇଦ୍ରାବାଦର ସର୍ବାଙ୍ଗୀନ ବିକାଶ ସାଙ୍ଗକୁ, ଏଠାକାର ରାଜନୈତିକ ପାଣିପାଗ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଗତିଶୀଳ ଏବଂ ସଶକ୍ତ ହୋଇଛି । ତେଲେଙ୍ଗାନାରେ ମୋଟ୍ ୧୧୯ ବିଧାନସଭା ଆସନ ଥିବା ବେଳେ, ଏହାର ପାଖାପାଖି ଏକ ଚତୁର୍ଥାଂଶ ୨୯ଟି ଆସନ କେବଳ ହାଇଦ୍ରାବାଦ ଅଞ୍ଚଳରୁ ରହିଛି । ତେଣୁ ୨୦୨୩ ବିଧାନସଭା ନିର୍ବାଚନରେ, ହାଇଦ୍ରାବାଦ ସେଗମେଣ୍ଟ ଉପରେ ସବୁ ଦଳର ରହିଛି ନଜର ।

ହାଇଦ୍ରାବାଦ ସିଟିରେ ବିଭିନ୍ନ ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ସବୁ ଦଳର ହାଇପ୍ରୋଫାଇଲ ପ୍ରାର୍ଥୀ । ବିଆରଏସରୁ ମନ୍ତ୍ରୀ ଟି. ଶ୍ରୀନିବାସ ଯାଦବ ସନଥନଗରରୁ ପୁଣି ଥରେ ଲଢୁଥିବା ବେଳେ, ଉପବାଚସ୍ପତି ଟି. ପଦ୍ମାରାଓ ସିକନ୍ଦରାବାଦ ଆସନରୁ ଲଢୁଛନ୍ତି। ସେହିପରି ରାଜ୍ୟ ଶିକ୍ଷାମନ୍ତ୍ରୀ ତଥା ବିଆରଏସ ନେତ୍ରୀ ସବିତା ଇନ୍ଦ୍ର ରେଡ୍ଡି ମାହେଶ୍ବରମ୍ ବିଧାନସଭା ଆସନରୁ ତୃତୀୟ ଥର ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେପଟେ କଂଗ୍ରେସ ହେବିୱେଟ୍ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ। ସେ ଜୁବିଲି ହିଲ୍ସ ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ୨୦୧୮ ନିର୍ବାଚନରେ ବିଜେପିରୁ ବିଜୟୀ ହୋଇଥିବା ଏକମାତ୍ର ବିଧାୟକ ଟି. ରାଜା ସିଂହ ପୁଣି ଥରେ ବହୁଚର୍ଚ୍ଚିତ ଗୋଷାମହଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଚନ୍ଦ୍ରାୟନାଗୁଟ୍ଟାରୁ ପ୍ରାର୍ଥୀ ହୋଇଛନ୍ତି ଜୁନିଅର ଓୱେସୀ ତଥା ଏମଆଇଏମ ନେତା ଆକବରୁଦ୍ଦିନ ଓୱେସୀ । ସେ ଏଠାରୁ ୧୯୯୯ଠାରୁ ଲଗାତର ପାଞ୍ଚଥର ବିଜୟୀ ହୋଇ ଆସୁଥିବା ବେଳେ, ଷଷ୍ଠ ବିଜୟ ସହ ଡବଲ ହ୍ୟାଟ୍ରିକ ପାଇଁ ଆଶା ବାନ୍ଧିଛନ୍ତି ।

ତେଲେଙ୍ଗାନାରେ ବଦଳିଛି ରାଜନୈତିକ ପାଣିପାଗ । ୨୦୧୮ ନିର୍ବାଚନର ସ୍ଥିତି ୨୦୨୩ରେ ନାହିଁ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସ ସରକାର, ଆଣ୍ଟି ଇନକମ୍ବେନ୍ସିର ସାମ୍ନା କରୁଥିବା ବେଳେ, କଡ଼ା ଚ୍ୟାଲେଞ୍ଜ ଦେଉଛି କଂଗ୍ରେସ ପାର୍ଟି । ସେପଟେ ୨୦୧୯ ଲୋକସଭା ନିର୍ବାଚନରେ ଦମ୍ ଦାର୍ ପ୍ରଦର୍ଶନ କରିଥିବା ବିଜେପି, ଚଳିତ ବିଧାନସଭା ନିର୍ବାଚନରେ କିଙ୍ଗ ମେକର୍ ହେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି । ନଭେମ୍ବର ୩୦ରେ ଭୋଟ୍ ଦେବ ତେଲେଙ୍ଗାନା ଏବଂ ଡିସେମ୍ବର ୩ରେ ଆସିବ ଜନାଦେଶ । ତେଲେଙ୍ଗାନା ଫଳାଫଳ ରାଜ୍ୟ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାଠାରୁ ଅଧିକ ମହତ୍ବପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details