ହାଇଦ୍ରାବାଦ:ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଜୁବିଲି ହିଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ନାବାଳାକ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଛି । ଜୁଭିନାଇଲ ଜଷ୍ଟିସ ବୋର୍ଡ ଏହି 4 ବାଳ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ନାବାଳକମାନେ ଗିରଫ ହୋଇ ସଇଦାବାଦ ବାଳ ସୁଧାର ଗୃହରେ ଥିବା ବେଳେ ଆଜି ଘରକୁ ଫେରିଛନ୍ତି । ସେହିପରି ମାମଲାର ଅନ୍ୟତମ ତଥା 5ମ ନାବାଳକ ଅଭିଯୁକ୍ତ ଏବେ ମଧ୍ୟ ସୁଧାର ଗୃହରେ ରହିଛି । ଏହି 5ମ ଅଭିଯୁକ୍ତ ରାଜ୍ୟର ଜଣେ ବିଧାୟକଙ୍କ ପୁଅ ମଧ୍ୟ । ତେବେ ତାଙ୍କ ଜାମିନ ଆବେଦନ ତେଲେଙ୍ଗାନା ହାଇକୋର୍ଟରେ ବିଚାର ହେବା ନେଇ ସୂଚନା ମିଳିଛି ।
ଘଟଣାରେ 5 ନାବାଳକ ଅଭିଯୁକ୍ତଙ୍କ ସହ ଜଣେ ମାତ୍ର ପ୍ରାପ୍ତବୟସ୍କ ଅଭିଯୁକ୍ତ ମଧ୍ୟ ରହିଛି । ଏକ ମାତ୍ର ପ୍ରାପ୍ତବୟସ୍କ ଅଭିଯୁକ୍ତ ସଦୁଦ୍ଦିନ ମଲ୍ଲିକର ବେଲ ଆବେଦନ ପୂର୍ବରୁ ଖାରଜ ହୋଇସାରିଥିବା ବେଳେ ସେ ଏବେ ଜେଲରେ ଅଛି । ଏହି ବହୁଚର୍ଚ୍ଚିତ ଘଟଣାର ଗିରଫଦାରୀର ପ୍ରାୟ 50 ଦିନ ପରେ 4 ନାବାଳକ ଅଭିଯୁକ୍ତଙ୍କୁ ବେଲ ମିଳିଛି । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ଆସନ୍ତାକାଲି ବେଲ ମିଳିବା ନେଇ ଅନୁମାନ କରାଯାଉଛି ।