ହାଇଦ୍ରାବାଦ:ଗଦି ଡେଲିଭରୀ କରିବାକୁ ଯାଇଥିଲେ । ଗ୍ରାହକଙ୍କ କୁକୁରକୁ ଦେଖି ଭୟରେ ତିନି ମହଲାରୁ ତଳକୁ ଡେଇଁ ପଡିଲେ ଡେଲିଭରୀ ବୟ । ଗତ ରବିବାର ଦିନ ହାଇଦ୍ରାବାଦର ପଞ୍ଚବାଟୀ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଡେଲିଭରୀ ଏଜେଣ୍ଟ ଆମାଜନରେ କାମ କରନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । କୁକୁର ଭୟରେ ଡେଲିଭରୀ ବୟ ତୃତୀୟ ମହଲାରୁ ଡେଇଁବାର ଗତ ୪ ମାସରେ ସହରରେ ଏହା ହେଉଛି ଦ୍ବିତୀୟ ଘଟଣା ।
ପୋଲିସର ସୂଚନା ମୁତାବକ, ଗତ ରବିବାର ଦିନ ୩୦ ବର୍ଷୀୟ ଆମାଜନର ଡେଲିଭରୀ ଏଜେଣ୍ଟ ମହମ୍ମଦ ଇଲିୟାସ ହାଇଦ୍ରାବାଦ ପଞ୍ଚବାଟୀ କଲୋନୀ ସ୍ଥିତ ଶ୍ରୀନିଧି ଆପାର୍ଟମେଣ୍ଟକୁ ଏକ ଗଦି ଡେଲିଭରୀ କରିବାକୁ ଯାଇଥିଲେ । କବାଟ ବାଡେଇବା ସମୟରେ ସମ୍ପୃକ୍ତ ଗ୍ରାହକଙ୍କ ପୋଷା କୁକୁର ତାଙ୍କୁ ଦେଖି ଖୁବ୍ ଜୋରରେ ଭୁକିବାକୁ ଲାଗିଥିଲା । କବାଟ ଅଧା ଖୋଲା ଥିବାରୁ କୁକୁରଟି ଇଲିୟାସଙ୍କୁ କାମୁଡିବାକୁ ମାଡି ଆସିଥିଲା । ଫଳରେ କୁକୁରଠାରୁ ରକ୍ଷା ପାଇବାକୁ ଯାଇ ସେ ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ ।