ହାଇଦ୍ରାବାଦ:ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା BBC ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଲାଗି ରହିଛି । ଭାରତରେ ୟୁଟ୍ୟୁବ ଓ ଟ୍ବିଟରରୁ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ କରାଯାଇଛି । ଏହାସତ୍ତ୍ବ ମଧ୍ୟ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି । ଏକ ଇସଲାମିକ ଛାତ୍ର ସଂଗଠନ ଦ୍ବାରା କ୍ୟାମ୍ପସ ଭିତରେ ଏହାକୁ ସ୍କ୍ରିନିଂ କରାଯାଇଛି । ବିଶ୍ବବିଦ୍ୟାଳୟର ୫୦ରୁ ଅଧିକ ଛାତ୍ର ଏହି ଡକ୍ୟୁମେଣ୍ଟାରୀ ଦେଖିଛନ୍ତି । ଏନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ପକ୍ଷରୁ ଅଭିଯୋଗ ହୋଇଛି ।
ଇସଲାମିକ ଛାତ୍ର ସଂଗଠନ(SIO) ଏବଂ ମୁସଲିମ ଛାତ୍ର ସଂଘ ଦ୍ବାରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ABVP ଛାତ୍ର ନେତା ମହେଶ କହିଛନ୍ତି ଯେ, ''BBC ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ସମ୍ପର୍କରେ ଆମେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛୁ । ଯେଉଁମାନେ ଏହି କାର୍ଯ୍ୟରେ ଜଡିତ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ । ସମ୍ପୃକ୍ତ ଛାତ୍ର ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏହାକୁ କ୍ୟାମ୍ପସରେ ପ୍ରଦର୍ଶିତ କରିଛି । ଯାହାକୁ ଅନେକ ପିଲା ଦେଖିଛନ୍ତି ।