ହାଇଦ୍ରାବାଦ: ସ୍ନାତକ ହାସଲ କରିଛନ୍ତି ହାଇଦ୍ରାବାଦର 14 ବର୍ଷର ବାଳକ ଅଗସ୍ତ୍ୟା ଜୈସୱାଲ । ଯିଏ ଦେଶରେ ପ୍ରଥମ ଛାତ୍ର ଭାବରେ ଏହି କୃତିତ୍ବ ହାସଲ କରିବାଲେ ସଫଳ ହୋଇଛନ୍ତି । ଜୈସୱାଲ ହାଇଦ୍ରାବାଦର ଓସମାନିଆ ବିଶ୍ବବିଦ୍ୟାଳୟରେ ଯୋଗାଯୋଗ ଏବଂ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଛନ୍ତି । ପରିବାରଠୁ ପୁରା ରାଜ୍ୟ ଏବେ ତାଙ୍କୁ ନେଇ ଗର୍ବିତ ।
ନିକଟରେ ଓସମାନିଆ ବିଶ୍ବବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ଜଣାପଡିଛି ଯେ ସେ ଦେଶରେ ଏହି କୃତିତ୍ବ ହାସଲ କରିବାରେ ପ୍ରଥମ ଯୁବକ ଭାବରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଜୈସୱାଲ କହିଛନ୍ତି ଯେ ସେ ତେଲେଙ୍ଗାନାର ପ୍ରଥମ ବାଳକ ଯିଏ କି 9 ବର୍ଷ ବୟସରେ 7.5 ଜିପିଏ ସହ ଦଶମ ଶ୍ରେଣୀରେ ପାସ୍ କରିଥିଲେ । 11 ବର୍ଷ ବୟସରେ ସେ ତେଲେଙ୍ଗାନାର ପ୍ରଥମ ବାଳକ ହୋଇ 63% ସହିତ ଇଣ୍ଟରମିଡିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଖାଲି ପାଠପଢାରେ ନୁହେଁ ଖେଳକୁଦରେ ମଧ୍ୟ ସେ ବେଶ ଆଗୁଆ । ସେ ଜାତୀୟ ସ୍ତରୀୟ ଟେବୁଲ ଟେନିସ ଖୋଳାଳୀ ମଧ୍ୟ ରହିଛନ୍ତି । ସେ ତାଙ୍କ ସପଳତାର ସମସ୍ତ ଶ୍ରେୟ ତାଙ୍କ ବାପା ମାଆଙ୍କୁ ଦେଇଛନ୍ତି । ତାଙ୍କ ପାଇଁ ଜୀବନର ସମସ୍ତ ଅସମ୍ଭବକୁ ସମ୍ଭବ କରିପାରିଛି ବୋଲି କହିଛନ୍ତି ଜୈସୱାଲ । ମାତ୍ର 1.72 ଡିଗ୍ରୀରେ ସେ A ରୁ Z ପର୍ଯ୍ୟନ୍ତ ଟାଇପ କରିପାରନ୍ତି ବୋଲି କହିଛନ୍ତି । ଏହାସହ ସେ 100 ପର୍ଯ୍ୟନ୍ତ ପଣିକିଆ ମଧ୍ୟ ମନେ ରଖିଛନ୍ତି । ଦୁଇ ହାତରେ ଲେଖିପାରୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରର ଜଣେ ମୋଟିଭେସନାଲ ସ୍ପିକର ବୋଲି ସେ କହିଛନ୍ତି ।
ତେବେ ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏହାପରେ ଏମବିବିଏସ କରିବେ । ପୁଅର ଏହି କୃତିତ୍ବ ନେଇ ଖୁବ ଖୁସି ଅଛନ୍ତି ପିତା ଅଶ୍ବିନୀ ଜୈସୱାଲ । ସେ କହିଛନ୍ତି ପ୍ରତ୍ୟେକ ଶିଶୁଙ୍କର କିଛି ବିଶେଷ ଗୁଣ ରହିଛି । ଯଦି ପ୍ରତ୍ୟେକ ବାପା ମାଆ ସେମାନଙ୍କ ପିଲାମାନଙ୍କ ପ୍ରତି ଟିକିଏ ଧ୍ୟାନ ଦିଅନ୍ତି ତେବେ ପ୍ରତ୍ୟେକ ପିଲା ରେକର୍ଡ ସୃଷ୍ଟି କରିପାରିବେ । ଅଗସ୍ତ୍ୟା ସବୁବେଳେ କିଛି ବୁଝିବା ପାଇଁ ପ୍ରଶ୍ନ ପଚାରିଥାଏ । ଆଉ ତା ଉତ୍ତର ଦେବାକୁ ଯାଇ ଆମେ ତାକୁ ପ୍ରାକ୍ଟିକାଲ କରି ଦେଖାଇଥାଉ ବୋଲି କହିଛନ୍ତି ମାତା ଭାଗ୍ୟଲକ୍ଷ୍ମୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ