ମୁମ୍ବାଇ: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଡକ୍ଟର ଦେବୀସିଂ ଶେଖାୱତଙ୍କ ପରଲୋକ । ଶୁକ୍ରବାର ପୁଣେ ସ୍ଥିତ ଏକ ହସ୍ପିଟାଲରେ ସକାଳ ପ୍ରାୟ ୯.୨୬ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାକୁ ୮୯ ବର୍ଷ ବୟସ ହୋଇଥିଲା । ଆଜି ସନ୍ଧ୍ୟା ବେଳେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି ।
ଶେଖାୱତଙ୍କ ମୃତ୍ୟୁର ଖବର ଆସିବା ପରେ ତାଙ୍କ ପରିବାର ବର୍ଗ ଓ ଅନେକ ସରକାରୀ ଅଧିକାରୀ ପୁଣେ ଅଭିମୁଖେ ଗସ୍ତ କରିଥିଲେ । ଆଜି ସନ୍ଧ୍ୟା ୬ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଶେଖାୱତଙ୍କ ଗତ ଫେବୃଆରୀ ୧୨ ତାରିଖରେ ନିଜ ବାସଭବନର ଏକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ସର୍ଜରୀ ହୋଇଥିଲା । ଏହାପରେ ତାଙ୍କର ଉଚ୍ଚ ରକ୍ତଚାପ, କିଡନୀ ସମସ୍ୟା ଆଦି ଦେଖିବାକୁ ମିଳିଥିଲା । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେ ପୁଣେ ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଏହା ବି ପଢନ୍ତୁ- ମହାରାଷ୍ଟ୍ରରେ ଚାଷୀଙ୍କ ମହାକ୍ଷତି: ବିକିଲେ ୫ କ୍ବିଣ୍ଟାଲ ପିଆଜ, ରୋଜଗାର କଲେ ମାତ୍ର ୨ଟଙ୍କା
ଶେଖାୱତ ପତ୍ନୀ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପୁଅ ରାଜେନ୍ଦ୍ର ସିଂ ଶେଖାୱତ ଯିଏକି ଜଣେ କଂଗ୍ରେସ ନେତା ଓ ଝିଅ ଜ୍ୟୋତି ଯିଏକି ବୃତ୍ତିରେ ଜଣେ ଇଞ୍ଜିନିୟର, ଏମାନଙ୍କ ସହିତ ସେ ବାସ କରୁଥିଲେ । ଶେଖାୱତ କଂଗ୍ରେସ ଦଳର ସଦସ୍ୟ ରହିଥିବା ବେଳେ ଅମରାବତୀ ବିଧାନସଭା ମଣ୍ଡଳୀରୁ ୧୯୮୫ରୁ ୧୯୯୦ ମସିହାରେ ବିଧାୟକ ରହିଥିଲେ । ୧୯୯୦ ମସିହାରେ ସେ ନିର୍ବାଚନ ହାରିବା ପରେ ଅମରାବତୀରୁ ପ୍ରଥମ ମେୟର ଭାବେ ନିର୍ବାଚନ ଜିତିଥିଲେ ।
ତେବେ ତାଙ୍କ ଶିକ୍ଷାଗତ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ୧୯୭୨ ମସିହାରେ ବମ୍ବେ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ନେରପିଙ୍ଗଲ ଶ୍ରୀଶିବାଜୀ ଶିକ୍ଷା ସଂସ୍ଥାରେ ଶିକ୍ଷକତା କରିଥିଲା । ଏହାପରେ ସେ ରସାୟନ ବିଜ୍ଞାନରେ ପିଲାଙ୍କୁ ପାଠ ପଢାଉଥିଲେ । ଏହାପରେ ସେ ୧୯୬୯ ମସିହାରେ ବିଦ୍ୟାଭାରତୀ ଶିକ୍ଷା ସଂସ୍ଥା ନାମକ ଏକ ସଂସ୍ଥା ପ୍ରତିଷ୍ଠା କରିଥିବା ବେଳେ ଅମରାବତୀ ସହର ମୁରବାଘଠାରେ ଏକ ପ୍ରଥମ ସ୍କୁଲର ଶୁଭାରମ୍ଭ କରିଥିଲେ ।
ଗତ ୧୯୬୫ ଜୁଲାଇ ୭ ତାରିଖରେ ଡକ୍ଟର ଶେଖାୱତ ଓ ପ୍ରତିଭା ପାଟିଲଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ତାଙ୍କ ପୁଅ ରାଜେନ୍ଦ୍ର ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ଅମରାବତୀ ବିଧାନସଭା ମଣ୍ଡଳୀର ବିଧାୟକ ରହିଥିଲେ । ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ କାର୍ଯ୍ୟକାଳ ୨୦୧୨ ଜୁଲାଇ ୧୫ ତାରିଖରେ ପୂରଣ ହେବା ପରେ ସେ ପୁଣେଠାରେ ସ୍ବାମୀଙ୍କ ସହିତ ରହୁଥିଲେ । ଆଜି ଶେଖାୱତଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟା ସମୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।