ଲକ୍ଷ୍ନୌ:ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିବା ସ୍ବାମୀ ସାଜିଲା ସୈତାନ । ନିଜ ହାତରେ ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କରିଦେଲା । ଦିଲ୍ଲୀର ଶ୍ରଦ୍ଧାଙ୍କୁ ତାଙ୍କର ଲିଭ୍ ଇନ୍ ପାର୍ଟନର ଅଫତାବ ୩୫ ଖଣ୍ଡ କରିବା ଭଳି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡ ଖଣ୍ଡ ହାଣି ଫିଙ୍ଗି ଦେଇଛି । ୟୁପିର ସୀତାପୁର ଅଞ୍ଚଳରୁ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଆଖୁ କିଆରୀ ଭିତରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି ।
ସୀତାପୁର ଜିଲ୍ଲା ରାମପୁର ଅନ୍ତର୍ଗତ ଚହାରପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ଗତ ୮ ତାରିଖରେ ପୋଲିସ ଏଠାରେ ଏକ ଆଖୁ କିଆରୀରୁ ଜଣେ ମହିଳାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା । ମୃତ ଶରୀରରୁ ଗୋଟିଏ ହାତ, ଗୋଡ ଓ ମୁଣ୍ଡ ଗାଏବ ଥିଲା । ତେଣୁ ମୃତ ମହିଳାଙ୍କୁ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା । ହେଲେ ଛାନଭିନ୍ ପରେ ମହିଳାଙ୍କ ପରିଚୟ ମିଳିଥିଲା । ମୃତକଙ୍କ ନାମ ଜ୍ୟୋତି ଏବଂ ତାଙ୍କୁ ସ୍ବାମୀ ପଙ୍କଜ ମୌର୍ଯ୍ୟ ହତ୍ୟା କରିଥିବା ପ୍ରମାଣ ମିଳିଥିଲା । ପୋଲିସ ହତ୍ୟାକାରୀ ସ୍ବାମୀକୁ ଗିରଫ କରିବା ପଚରାଉଚାର କରିବା ପରେ ସେ ନିଜର ଦୋଷ ସ୍ବୀକାର କରିଛି ।