ଚଣ୍ଡୀଗଡ଼:ଘାରିଥିଲା ପ୍ରେମିକା ସହ ବିଦେଶ ଯିବା ନିଶା । ରାସ୍ତାରୁ ହଟାଇବା ପାଇଁ ସ୍ବାମୀ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହରିୟାଣାର ପାନିପତରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି । ଯାହାକୁ ନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ମୃତକଙ୍କ ଭାଇ ବେଦପାଲ କହିଛନ୍ତି, "ମୋ ଭଉଣୀ କୋମଲ ପ୍ରାୟ 3 ବର୍ଷ ପୂର୍ବରୁ ସମଲଖାର ଦୀପକଙ୍କୁ ବିବାହ କରିଥିଲା । ବିବାହର 2 ମାସ ପରେ ଦୀପକ କୋମଲଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । କାରଣ ଦୀପକଙ୍କର ଅନ୍ୟ ଜଣେ ଝିଅ ସହିତ ଅନୈତିକ ସମ୍ପର୍କ ରହିଥିଲା । ଆଉ ଦୀପକ ସେ ଝିଅ ସହିତ ବିଦେଶ ଯିବାକୁ ଚାହୁଁଛନ୍ତି । ତେଣୁ ବିଦେଶ ଯିବାରେ ବାଧା ସୃଷ୍ଟି ହେଉଥିବାରୁ ସେ କୋମଲକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ଷଡଯନ୍ତ୍ର କରିଛନ୍ତି । "
ସେ ଆହୁରି ମଧ୍ୟ କହିଛନ୍ତି, "ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଦାମ୍ପତ୍ୟ ଜୀବନ ଭଲ ଚାଲିନଥିବାବେଳେ ସେ ସର୍ବଦା କୋମଲଙ୍କୁ ଅନ୍ୟତ୍ର ଚାଲିଯିବା ପାଇଁ କହୁଥିଲେ । ଏପରିକି କୋମଲ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ଗର୍ଭପାତ କରାଇବା ପାଇଁ ଦୀପକ ବାଧ୍ୟ କରୁଥିଲା । ଗତକାଲି ରାତି ୮ଟା ସମୟରେ କୋମଲ ଆମ ପରିବାର ଲୋକଙ୍କୁ ଫୋନ ମଧ୍ୟ କରିଥିଲା । ଦୀପକଙ୍କର ପ୍ରେମିକା ସହ କରିଥିବା ଚାଟିଂ ସେ ଦେଖିଥିବା କଥା କହିଥିଲା । ଯେଉଁଥିପାଇଁ ଦୀପକ କୋମଲକୁ ହତ୍ୟା କରିଛି ।"