ଲକ୍ଷ୍ନୌ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରି ଦେଉଥିଲେ ସ୍ବାମୀ । ପତ୍ନୀର ଜୁଇକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସ୍ବାମୀ । ହେଲେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଧରିନେଇ କୌଣସି ପ୍ରକାରରେ ସେଠାରୁ ଉଦ୍ଧାର କରିନେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାର କୁଲପାହାଡ଼ କୋଟୱାଲୀ ଅନ୍ତର୍ଗତ ଜୟତପୁର ଗାଁରେ । ତେବେ ଉକ୍ତ ଘଟଣାରେ ସ୍ବାମୀ ସାମାନ୍ୟ ଜଳି ଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ସୂଚନାନୁସାରେ ଜୟତପୁର ଗାଁର ଦେଓଦୀପୁରା ଅଞ୍ଚଳରେ ରହୁଥିବା ବ୍ରିଜେଶଙ୍କ ପତ୍ନୀ ଘର ଭିତରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ସ୍ବାମୀ ବ୍ରିଜେଶ ସହିପାରିନଥିଲେ । ବ୍ରିଜେଶ ଚାରି ବର୍ଷ ପୂର୍ବେ ଆକୁନା ଗାଁର ବାସିନ୍ଦା ରାମଚରଣଙ୍କ ଝିଅ ଉମାଙ୍କୁ ବିବାହ କରିଥିଲେ। ତେବେ ଉମାଙ୍କ ଦେହ ଖରାପ ଥିବାରୁ ପତ୍ନୀ ଉମା ଚିକିତ୍ସା ପାଇଁ ବ୍ରିଜେଶଙ୍କୁ 5 ହଜାର ଟଙ୍କା ମାଗିଥିଲେ। ସକାଳେ ବ୍ୟବସ୍ଥା କରି ଟଙ୍କା ଦେବେ ବୋଲି ବ୍ରିଜେଶ କହିଥିଲେ । ଏଥିରେ ରାଗିଯାଇ ଉମା ବିଳମ୍ବିତ ରାତିରେ ନିଜକୁ ଘର ଭିତରେ ବନ୍ଦ କରି ଫାଶୀ ଦେଇ ଝୁଲି ପଡ଼ିଥିଲେ । ସ୍ବାମୀ ସକାଳୁ ଉଠି ପତ୍ନୀଙ୍କ ଝୁଲନ୍ତା ମୃତଦେହକୁ ଦେଖି ସହିପାରିନଥିଲେ । ପରିବାର ସଦସ୍ୟ ଉମାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।