ଲକ୍ଷ୍ନୌ:ପରକୀୟା ପ୍ରୀତିରୁପ୍ରଥମେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଲା ସ୍ବାମୀ । ତାପରେ ନିଜ ସାନଭାଇ ଓ ବନ୍ଧୁଙ୍କ ଦ୍ବାରା ଦୁଷ୍କର୍ମ ମଧ୍ୟ କରାଇଲା । ଏତିକିରେ ଶେଷ ହେଲା ନାହିଁ ନିର୍ଯାତନାର ଅଧ୍ୟାୟ । ଶେଷରେ ନିଆଁ ଲଗାଇ ଜାଳି ମାରିଦେବାକୁ ଉଦ୍ୟମ ମଧ୍ୟ କଲା । ହେଲେ ପୀଡିତାଜଣଙ୍କ ପଡୋଶୀଙ୍କ ଦ୍ବାରା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ଏପରି ଏକ ଅଭିଯୋଗ ଉତ୍ତର ପ୍ରଦେଶ ବରେଲୀରେ ଦେଖିବାକୁ ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ମୋଟ 8 ଅଭିଯୁକ୍ତକୁ ଗିରଫ କରିଛି ।
ଏତଲା ଅନୁସାରେ, ପୀଡିତାଜଣଙ୍କ ଚଳିତ ବର୍ଷ (2023) ମାର୍ଚ୍ଚ 5 ତାରିଖରେ ବରେଲୀ ଭୋଜିପୁରା ଅଞ୍ଚଳର ବାସିନ୍ଦା ଶାହାରୁଖ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ନୋଏଡାରେ କାମ କରନ୍ତି । ସେଠାରେ ତାଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିଲା । ଏହି କାରଣରୁ ସେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ । ଏପରିକି ହତ୍ୟା କରିବାକୁ ମଧ୍ୟ ଯୋଜନା କଲେ । ସେ ପ୍ରଥମେ ଜୁନ୍ 8 ତାରିଖରେ ତିନି ତଲାକ ମାଧ୍ୟମରେ ଛାଡପତ୍ର ଦେଇଥିଲେ । ପରେ ନିଜର ସାନଭାଇ ଓ ବନ୍ଧଙ୍କୁ ଘରକୁ ଡାକି ତାଙ୍କର ଦୁଷ୍କର୍ମ ମଧ୍ୟ କରାଇଥିଲେ । ଏକଥା କାହା ନିକଟରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏକଥା ପୀଡିତାଙ୍କ ଶାଶୁ ମଧ୍ୟ ଜାଣିଥିଲେ । ଏକଥା ବାହାରେ ପ୍ରକାଶ ନକରିବା ପାଇଁ ସେ ମଧ୍ୟ ତାଙ୍କୁ ଧମକ ଦେଇଥିଲେ । ତାଙ୍କୁ ଏକ ଘରେ ବନ୍ଦ କରାଯାଇ ରଖାଯାଇଥିବା ବେଳେ ମୋବାଇଲ ମଧ୍ୟ ବ୍ୟବହାର କରିବା ପାଇଁ ଦିଆଯାଉନଥିଲା ।