ଲକ୍ଷ୍ନୌ:ସାଧାରଣତଃ ମହିଳାମାନେ ସଜେଇ ହେବାକୁ ବେଶ ପସନ୍ଦ କରନ୍ତି । ଆଜିକାଲିର କିଛି ମହିଳା ନିଜ ସୌନ୍ଦର୍ଯ୍ୟତା ବଜାୟ ରଖିବା ଲାଗି ବ୍ୟୁଟିପାର୍ଲର (Beauty Parlour)କୁ ମଧ୍ୟ ଯାଉଥିବା ଦେଖିବାକୁ ମିଳୁଛି । ହେଲେ ଏଠାରେ ଆମେ ଯେଉଁ ମହିଳାଙ୍କ କଥା କହୁଛୁ ତାଙ୍କୁ ସଜେଇ ହୋଇ ରହିବା ଏତେ ପସନ୍ଦ ଯେ ଶେଷରେ ଏଥିଲାଗି ସେ ନିଜ ସ୍ବାମୀକୁ ଛାଡ଼ପତ୍ର ଦେବାକୁ ପଛାଇ ନାହାନ୍ତି । ସ୍ବାମୀ ବ୍ୟୁଟିପାର୍ଲର ଖର୍ଚ୍ଚ ନଦେବା ପରେ ସେ ତାଙ୍କୁ ଛାଡପତ୍ର ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଉତ୍ତରପ୍ରଦେଶ ଆଲିଗଡ଼ ଅଞ୍ଚଳରେ (Aligarh Family Court divorce case) ଦେଖିବାକୁ ମିଳିଛି ।
ଏହି ଘଟଣା ଆଲିଗଡ଼ ସିଭିଲ ଲାଇନ ଅଞ୍ଚଳର । ମହିଳା ଜଣକ ଏଡିଜେ ଫ୍ୟାମିଲି କୋର୍ଟରେ ଏହି କାରଣ ଦର୍ଶାଇ ଛାଡ଼ପତ୍ର ଲାଗି ଆବେଦନ କରିଛନ୍ତି । ମାତ୍ର କୋର୍ଟ କାଉନସିଲର ଦମ୍ପତିକୁ ବୁଝାଉଥିବା ଜଣାପଡ଼ିଛି । ମାତ୍ର ମହିଳା ଜଣକ ନିଜ ସ୍ବାମୀ ସହିତ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ୨୦୧୫ ମସିହାରେ, ସିଭିଲ ଲାଇନ ଅଞ୍ଚଳରେ ରହୁଥିବା ୨୫ବର୍ଷ ବୟସ୍କା ମହିଳା ଦିଲ୍ଲୀର ବାସିନ୍ଦା ଅମିତଙ୍କୁ ବିବାହ କରିଥିଲେ । ତାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ପ୍ରଥମେ ବିବାହ ପରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ୩ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହା ପରେ ଉଭୟ ଅଲଗା ରହୁଥିବା ବେଳେ ସେମାନଙ୍କର ମଧ୍ୟ ସନ୍ତାନ ନାହିଁ। ଏବେ ପତ୍ନୀ ଖର୍ଚ୍ଚ ପାଇଁ କୋର୍ଟରେ ଆବେଦନ କରିଛନ୍ତି ।