ବେଙ୍ଗାଲୁରୁ:ଘରୋଇ କଳିରୁ ସ୍ତ୍ରୀର ଆଙ୍ଗୁଠି କାମୁଡିଦେଲା ସ୍ବାମୀ । ଥାନାରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କଲେ 40 ବର୍ଷୀୟା ମହିଳା । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘରେ ଝଗଡା ସମୟରେ ତାଙ୍କ ସ୍ୱାମୀ ତାଙ୍କ ବାମ ଆଙ୍ଗୁଠିକୁ କାମୁଡ଼ି ଅତି ଗୁରୁତର ଆହତ କରିଥିବା ଅଭିଯୋଗ କରି ଥାନାରେ ଅଭିଯୋଗ କରିଛନ୍ତି ବେଙ୍ଗାଲୁରୁର ଜଣେ 40 ବର୍ଷୀୟା ମହିଳା । ଅଭିଯୋଗକୁ ଭିତ୍ତି କରି ମହିଳାଙ୍କ ସ୍ୱାମୀ ବିଜୟ କୁମାରଙ୍କ ବିରୋଧରେ କୋନାନକୁନ୍ତେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।
ଅଭିଯୋଗକାରୀ ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ବିଜୟ କୁମାରଙ୍କ ସହ 23 ବର୍ଷ ପୂର୍ବେ ବିବାହ ହୋଇଥିଲା । ସ୍ବାମୀ ବିଜୟ କୁମାର ତାଙ୍କୁ କିଛି ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ପୁଷ୍ପା କୋଟାନୁର ସାରଥୀ ନଗରରେ ନିଜ ପୁଅ ସହିତ ଅଲଗା ରହିବା ଆରମ୍ଭ କରିଥିଲେ । ପୁଷ୍ପା ଅଭିଯୋଗ କରିଛନ୍ତି ଯେ ଜୁଲାଇ 28 ତାରିଖରେ ତାଙ୍କ ସ୍ୱାମୀ ବିଜୟ କୁମାର ତାଙ୍କ ଘରକୁ ଆସି ଝଗଡା କରିଥିଲେ । ଏହି ଝଗଡା ସମୟରେ ବିଜୟ ତାଙ୍କ ବାମ ଆଙ୍ଗୁଠିକୁ କାମୁଡି ଗୁରୁତର ଆହତ କରିଥଲେ । ଏହାକୁ ବିରୋଧ କରିବାରୁ ପୁଅ ଉପରେ ବିଜୟ କୁମାର ମଧ୍ୟ ଆକ୍ରମଣ କରିଥିଲେ । ପରେ ପୁଷ୍ପାଙ୍କୁ ହତ୍ୟା ଧମକ ଦେଇ ବିଜୟ ଚାଲିଯାଇଥିଲେ । ଏବେ ଏହି ପୀଡିତା ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ ନିଜର ଓ ନିଜ ପୁଅର ସୁରକ୍ଷା ମାଗିଛନ୍ତି । ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।