ଓଡିଶା

odisha

By

Published : Oct 11, 2022, 4:16 PM IST

ETV Bharat / bharat

Human Sacrifice In Kerala: କେରଳରେ ନରବଳି, ଦୁଇ ମହିଳାଙ୍କ ମୁଣ୍ଡ କାଟି ହତ୍ୟା କଲେ ଦମ୍ପତି

କେରଳରେ ନରବଳି । କେରଳରେ ଦୁଇ ମହିଳାଙ୍କୁ ବଳି ଉଦ୍ଦେଶ୍ୟରେ ମୁଣ୍ଡକାଟି ହତ୍ୟା କଲେ ଦମ୍ପତି (Human Sacrifice in Kerala)। ପରିବାର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଗୁଣିଗାରେଡିରେ ଥିଲେ ସମ୍ପୃକ୍ତ । ଅଧିକ ପଢନ୍ତୁ

Human Sacrifice InKerala: କେରଳରେ ନରବଳି, ଦୁଇ ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା କଲେ ଦମ୍ପତି
Human Sacrifice InKerala: କେରଳରେ ନରବଳି, ଦୁଇ ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା କଲେ ଦମ୍ପତି

ଥିରୁଅନନ୍ତପୁରମ:କେରଳରେ ସାମ୍ନାକୁ ଆସିଛି ନର ବଳି ଘଟଣା । ଏର୍ଣ୍ଣାକୁଲମ ଜିଲ୍ଲାରେ ଗୁଣିଗାରେଡିରେ ସାମିଲ ଥିବା ଏକ ଦମ୍ପତ୍ତି ଦୁଇ ମହିଳାଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ଗଳା କାଟି ହତ୍ୟା କରିଛନ୍ତି । ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୁଣ୍ଡ କାଟି ମୁଣ୍ଡ ବିହୀନ ମୃତଦେହକୁ ପୋତି ଦେଇଛନ୍ତି (Human Sacrifice in Kerala)। ଗତ କିଛି ମାସ ତଳେ ଦୁଇ ମହିଳା ଏର୍ଣ୍ଣାକୁଲମ ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ନିଖୋଜ ଥିବା ନେଇ ଥାନାରେ ଏତଲା ଦାଏର ହୋଇଥିଲା । ତେବେ ପୋଲିସ ତଦନ୍ତରୁ ଉଭୟଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇ ମୁଣ୍ଡବହୀନ ମୃତଦେହକୁ ଦମ୍ପତି ପୋତି ଦେଇଥିବା ଜଣାପଡିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବଳି ଉଦ୍ଦେଶ୍ୟରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଦୁଇ ମହିଳା ହେଲେ ରୋସେଲିନ ଓ ପଦ୍ମା । ଉଭୟ ଏର୍ଣ୍ଣାକୁଲମ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳର ବାସିନ୍ଦା । ଉଭୟଙ୍କ ବୟସ ପ୍ରାୟ 50 ହେବ । ରୋସେଲିନ ଜୁନ ମାସରୁ ନିଖୋଜ ଥିବା ବେଳେ ପଦ୍ମା ସପ୍ଟେମ୍ବର ମାସରୁ ନିଖୋଜ ରହିଥିଲେ । ପରେ ଉଭୟ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଭିନ୍ନ ଭିନ୍ନ ନିଖୋଜ ଅଭିଯୋଗ କରାଯାଇଥିଲା । ତେବେ ପୋଲିସ ବିଭିନ୍ନ ଦିଗରୁ ସେମାନଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ସେମାନଙ୍କୁ ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ।

ଏପରି ନାରକୀୟ କାଣ୍ଡ ଭିଆଇଥିବା ଦମ୍ପତି ହେଉଛନ୍ତି ତିରୁଭାଲ୍ଲା ଜିଲ୍ଲାର ଭାଗଓ୍ବାନ୍ତ ସିଂ ଓ ତାର ପତ୍ନୀ ଲୈଲା । ପରିବାରରେ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଏହି ଦମ୍ପତି ଦୀର୍ଘ ଦିନ ହେବ ଗୁଣିଗାରେଡି କାର୍ଯ୍ୟକଳାପରେ ଲିପ୍ତ ଥିଲେ । ମାନବ ବଳି ଦେଲେ ସେମାନଙ୍କ ସାଧାନା ପୂର୍ଣ୍ଣ ହେବା ସହ ସମସ୍ୟା ମଧ୍ୟ ଦୂର ହେବା ନେଇ ସେମାନଙ୍କ ବିଶ୍ବାସ ଥିଲା । ସେମାନେ ଏହି ଦୁଇ ମହିଳାଙ୍କୁ ଜଣେ ସହଯୋଗୀ ମାଧ୍ୟମରେ ଅପହରଣ କରାଇ ଗଳାକାଟି ହତ୍ୟା କରିଥିଲେ । ପରେ ଦୁଇ ମୃତଦେହରୁ ମୁଣ୍ଡକୁ ମଧ୍ୟ ଅଲଗା କରି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଦୁଇ ମୃତଦେହକୁ ଖଣ୍ଡ ବିଖଣ୍ଡିତ କରି କାଟିବା ସହ ଭିନ୍ନ ଭିନ୍ନ ସ୍ଥାନରେ ପୋତି ମଧ୍ୟ ଦେଇଥିଲେ ।

ତେବେ ଏହି ଘଟଣାରେ ଦମ୍ପତିଙ୍କ ସମେତ ଅନ୍ୟ ଜଣେ ମହମ୍ମଦ ସାଫି ନାମକ ଜଣେ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଦୁଇ ମହିଳାଙ୍କୁ କୌଶଳ କ୍ରମେ ଅପହରଣ କରି ଦମ୍ପତିଙ୍କ ପାଖରେ ପହଞ୍ଚାବା ଓ ବଳି ଉଦ୍ଦେଶ୍ୟରେ ସେମାନଙ୍କୁ ହତ୍ୟା କରି ମୃତଦେହ ପୋତିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଏହି ସାଫି ହିଁ ସହଯୋଗ କରିଥିବା ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି । ମୋଟ 3 ଅଭିଯୁକ୍ତ ଏହି ଘଟଣାରେ ଗିରଫ ହେବା ସହ ତଦନ୍ତ ଜାରି ରହିଛି । ତେବେ କେରଳ ପରି ଏକ ସାକ୍ଷର ରାଜ୍ୟରେ ଗୁଣିଗାରେଡି ଓ ନରବଳି ଦେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details