ଭୋପାଳ:ମଧ୍ୟପ୍ରଦେଶ ସାଗର ଜିଲ୍ଲା ସ୍ଥିତ ଏକ ଖ୍ରୀଷ୍ଟିଆନ ମିଶନରୀ ସ୍କୁଲରୁ ମିଳିଲା ଭ୍ରୁଣ । ସ୍କୁଲର ଲାବ୍ରୋଟୋରୀରୁ ଏହି ଭ୍ରୁଣ ମିଳିବା ପରେ ସ୍କୁଲରେ ପହଞ୍ଚିଛି ଶିଶୁ ଅଧିକାର ସଂରକ୍ଷଣ ଆୟୋଗ । ଏହାକୁ ଆୟୋଗ ଜବତ କରି ଯାଞ୍ଚ ଲାଗି ପଠାଇଛି । ଏହାସହ ଏହି ସ୍କୁଲ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଅନେକ ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଏହି ସ୍କୁଲ ପୁଣି ବିବାଦରେ ଫସିଛି ।
ଲାବ୍ରୋଟୋରୀରୁ ମିଳିଲା ଭ୍ରୁଣ:-ସାଗର ଜିଲ୍ଲାର ମିଶନରୀ ସ୍କୁଲ ନିର୍ମଳ ଜ୍ୟୋତି ହାୟର ସେକେଣ୍ଡାରୀ ସ୍କୁଲ ବିରୋଧରେ ଗତ ଗୁରୁବାର ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ମାମଲା ରୁଜୁ କରିଛି । ଆୟୋଗର ୨ଜଣ ସଦସ୍ୟ ଓମକାର ସିଂ ଓ ଡକ୍ଟର ନିବେଦିତା ଶର୍ମା ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ଏହି ଯାଞ୍ଚ ସମୟରେ ଲାବ୍ରୋଟୋରୀରୁ ମିଳିଥିଲା ମାନବ ଭ୍ରୁଣ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ସନ୍ତୋଷମୂଳକ ଉତ୍ତର ଦେଇପାରିନଥିଲେ । ଏହାକୁ ପ୍ଲାଷ୍ଟିକ ଭ୍ରୁଣ ବୋଲି ପ୍ରଥମେ କୁହାଯାଇଥିଲା । ହେଲେ ଏହାକୁ କିଛି ରାସାୟନିକ ପଦାର୍ଥ ମଧ୍ୟରେ କାହିଁକି ରଖାଯାଇଛି ବୋଲି ଆୟୋଗର ସଦସ୍ୟ ପ୍ରଶ୍ନ କରିଥିଲେ । ମାତ୍ର ସନ୍ତୋଷମୂଳକ ଉତ୍ତର ଦେବାରେ ସ୍କୁଲ କର୍ତ୍ତୃପକ୍ଷ ଅକ୍ଷମ ରହିଥିଲେ । ଏହାପରେ ସ୍କୁଲ ବିରୋଧରେ ମାମଲା ରୁଜୁ ହେବା ସହ ଏହାର ଯାଞ୍ଚ ଲାଗି ପଠାଯାଇଥିବା ଜଣାପଡ଼ିଛି ।