ବାଗଲାକୋଟେ :ପ୍ରେମ ପାଇଁ ବଳି ପଡ଼ିଲା ଦୁଇ ନୀରିହ ଜୀବନ । ଏଭଳି ଛାତିଥରା ଅନରକିଲିଂ ଘଟଣା ଘଟିଛି କର୍ଣ୍ଣାଟକର ବାଗାଲାକୋଟେ ଜିଲ୍ଲାରେ (Honour killing: Karnataka couple murdered)। ଜଣେ ନାବାଳିକା ସହ ତା ପ୍ରେମିକକୁ ପରିବାର ଲୋକେ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହାପରେ ଉଭୟଙ୍କ ମୃତଦେହକୁ ସ୍ଥାନୀୟ ବାଗାଲାକୋଟେ ସ୍ଥିତ କୃଷ୍ଣା ନଦୀକୁ ଫିଙ୍ଗି ଦେଇଥିଲେ । ତେବେ ଏବେ ସୁଦ୍ଧା ଉଭୟଙ୍କ ମୃତଦେହକୁ ଉଦ୍ଧାର କରାଯାଇ ନଥିବା ପୋଲିସ ପକ୍ଷରୁ ପ୍ରକାଶ ।
ବାଗାଲାକୋଟେ ଗ୍ରାମୀଣ ପୋଲିସର ସୂଚନାନୁସାରେ, ଅକ୍ଟୋବର 1 ତାରିଖ ଭୋର 3ଟାରୁ 4ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି । ନାବାଳିକାଙ୍କ ପରିବାର ସଦସ୍ୟ ତାଙ୍କୁ ଏବଂ ତାଙ୍କ ପ୍ରେମିକ ବିଶ୍ବନାଥ ନେଲାଗିଙ୍କୁ ଏକାଠି ହେବାର ବାହାନା କରି ବୁଲିବାକୁ ବାହାରକୁ ନେଇ ଯାଇଥିଲେ । ଉଭୟଙ୍କୁ ଦୁଇଟି ଅଲଗା କାରରେ ନଦୀ କୂଳକୁ ନିଆଯାଇଥିଲା । ସେଠାରେ ପରିବାର ଲୋକେ ନିର୍ଦ୍ଧୁମ ପିଟିଥିଲେ ଉଭୟଙ୍କୁ । ଏପରିକି ପ୍ରଥମେ ନାବାଳିକାର ଓଢ଼ଣୀ ମାଧ୍ୟମରେ ତା ତଣ୍ଟିଚିପି ମାରି ଦିଆଯାଇଥିଲା । ପରେ ବାଳକର ଅଣ୍ଟା ଏବଂ ଛାତିରେ କ୍ରମାଗତ ଭାବରେ ଆକ୍ରମଣ କରାଯାଇ ମାଡ ମରାଯାଇଥିଲା । ଏଥିରେ ପ୍ରେମିକ ବିଶ୍ବନାଥ ନେଲାଗିଙ୍କର ଜୀବନ ଚାଲିଯାଇଥିଲା ।
ଏହା ପରେ ଅଭିଯୁକ୍ତମାନେ ଉଭୟଙ୍କ ମୃତଦେହକୁ ଆଲମାଟି ରୋଡରେ ଥିବା ଏକ ବ୍ରିଜ ଉପରୁ ନଦୀକୁ ଫିଙ୍ଗି ଦେଇଥିଲେ (bodies dumped into river) । ପୋଲିସ କହିଛି ଯେ ଉଭୟଙ୍କ ଭିତର ପୋଷାକ ବ୍ୟତୀତ ପରିଚୟ ଭୟରେ ହତ୍ୟାକାରୀମାନେ ସେମାନଙ୍କର ସମସ୍ତ ପୋଷାକ ମୃତଦେହରୁ ବାହାର କରିଦେଇଥିଲେ । ଏହି ଘଟଣାରେ ପୋଲିସ ମୃତ ନାବାଳିକାର ଭାଇ ରବି ହୁଲାନାନାଭାରା, ସମ୍ପର୍କୀୟ ଭାଇ ହନୁମନ୍ତ ମାଲନାଦାଦା ଏବଂ ବିରାପ୍ପା ଦଲାୱାଇକୁ ଗିରଫ କରିଛି ।
ସୂଚନାନୁସାରେ କର୍ଣ୍ଣାଟକର ଗଡ଼ଗ ଜିଲ୍ଲାର ବିଶ୍ବନାଥ ନେଲାଗିଙ୍କର ବାଗାଲାକୋଟେ ଜିଲ୍ଲାର ବେଭିନାମତି ଗାଁର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଜାଣିପାରିଥିଲେ । ଏହାପରେ ଉଭୟଙ୍କ ପ୍ରେମକୁ ନେଇ ପରିବାର ଲୋକେ ବାରମ୍ବାର ବିରୋଧ କରୁଥିଲେ । ହେଲେ ନାବାଳିକା ଜଣକ ବିଶ୍ବନାଥଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ହେଲେ ଉଭୟଙ୍କ ପ୍ରେମକୁ ସ୍ବୀକୃତି ଦେଉ ନଥିଲେ ପରିବାର ଲୋକେ । ଏହାପରେ ନାବାଳିକାଙ୍କ ପରିବାର ଲୋକେ ଉଭୟ ପ୍ରେମୀଯୁଗଳଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର ରଚିଥିଲେ ।