ଚଣ୍ଡିଗଡ଼: ହରିୟାଣାର ନୁହ ଜିଲ୍ଲାରେ ଗତମାସରେ ଦେଖାଯାଇଥିବା ସାମ୍ପ୍ରାଦିୟକ ହିଂସା ପଛରେ ରହିଛି କଂଗ୍ରେସ ବିଧାୟକଙ୍କ ହାତ । ଏପରି ଏକ ଅଭିଯୋଗ ସିଧା ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ ଉଠାଇଛନ୍ତି । କଂଗ୍ରେସ ବିଧାୟକ ମମନ ଖାନ ସିଧାସଳଖ ହିଂସା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ ଗୃହମନ୍ତ୍ରୀ । ବିଧାୟକ ଖାନ ଜୁଲାଇ 28, 29 ଏବଂ 30 ତାରିଖରେ ନୁହ ଗସ୍ତ କରିଥିଲେ । ତାର ଠିକ ପରଦିନ (31 ତାରିଖ)ରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ତେଣୁ ସେ ହିଂସା ଷଡଯନ୍ତ୍ରରେ ସମ୍ପୃକ୍ତ ରହିଥିବା କହିଛନ୍ତି ଅନିଲ ।
କେବଳ ହିଂସା ପୂର୍ବବର୍ତ୍ତୀ ଦିନ ନୁହେଁ ବରଂ ଅନିଲ କହିଛନ୍ତି, ନହୁ ହିଂସା ପରେ କଂଗ୍ରେସ ବିଧାୟକ ମମନ ଖାନ ଫେସବୁକରେ ଏକ ପୋଷ୍ଟ କରିଥିଲେ । କହିଥିଲେ,‘‘ମୁଁ ବିଧାନସଭାରେ ମଧ୍ୟ ତୁମ ପାଇଁ ଲଢିଥିଲି, ମୁଁ ମଧ୍ୟ ଏଠି ଚାଲିଥିବା ଯୁଦ୍ଧରେ ତୁମ ସହିତ ଅଛି ।’’ ଏହାର ଅର୍ଥ ସେ ଦଙ୍ଗାକାରୀଙ୍କ ସହ ସମ୍ପର୍କରେ ରହିଛନ୍ତି । ସେହିପରି ହିଂସା ଘଟଣାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅନିଲ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 510 ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି । ଏହା ବ୍ୟତୀତ ପ୍ରାୟ 130 ରୁ 140 ଟି ଏତଲା (FIR) ପଞ୍ଜିକୃତ ହୋଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।
ଏବେ କଂଗ୍ରେସ ନେତାଙ୍କ ହାତ ଥିବା ସନ୍ଦେହ ଉଠିବା ପରେ ହରିୟାଣା ପୋଲିସ ଆସନ୍ତାକାଲି (30 ସେପ୍ଟେମ୍ବର) ରେ ଏହି କଂଗ୍ରେସ ବିଧାୟକଙ୍କୁ ପଚରାଉଚରା କରିବାକୁ ନୋଟିସ ଜାରି କରିସାରିଛି । ହିଂସା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ଅନିଲ ବିଜ କହିଛନ୍ତି, ଯେତେବେଳେ ହରିୟାଣାରେ କଂଗ୍ରେସ ସରକାର ଥିଲା ଓ ଭୂପେନ୍ଦ୍ର ସିଂ ହୁଡ୍ଡା ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ନହୁରେ ହିଂସା ହୋଇଥିଲା । ହେଲେ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଭୂପେନ୍ଦ୍ର ହୁଡ୍ଡା କୌଣସି ଉତ୍ତର ରଖିଲେ ନାହିଁ ।