ଓଡିଶା

odisha

ETV Bharat / bharat

ଶହୀଦ ପରିବାରକୁ ଭେଟିଲେ ଶାହା, ସାରଜା-ଶ୍ରୀନଗର ବିମାନ ସେବାର କରିବେ ଉଦଘାଟନ - Amit Shah arrives in Srinagar

3 ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ । ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କ ପରିବାରକୁ କଲେ ସାକ୍ଷାତ । ଅଧିକ ପଢନ୍ତୁ...

ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା
ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

By

Published : Oct 23, 2021, 5:22 PM IST

ନୂଆଦିଲ୍ଲୀ: 3 ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି । ଶାହା ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିବା ପରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ବାଗତ କରିଥିଲେ । ବିମାନବନ୍ଦରରେ ଉପରାଜ୍ୟପାଳଙ୍କ ସହ ଜମ୍ମୁ କାଶ୍ମୀର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଧାରା 370 ପ୍ରତ୍ୟାହାର ହେବା ପରେ ଏହା ଶାହାଙ୍କ ପ୍ରଥମ କାଶ୍ମୀର ଗସ୍ତ ।

ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ଶାହା ବିମାନବନ୍ଦରରୁ ସିଧା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାଶ୍ମୀର ପୋଲିସ ଅଧିକାରୀ ପରଭେଜ ଅହମ୍ମଦଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ତେବେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କ ପତ୍ନୀଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି । ଆଜି ଏହି ନିଯୁକ୍ତିପତ୍ର ନିଜେ ଗୃହମନ୍ତ୍ରୀ ଶାହା ଅହମ୍ମଦଙ୍କ ପତ୍ନୀ ଫତିମା ଅଖତରଙ୍କୁ ପ୍ରଦାନ କରିଛନ୍ତି । ଶାହାଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଜୁନ 22 ତାରିଖରେ ସ୍ଥାନୀୟ ଏକ ମସଜିଦରେ ପ୍ରାର୍ଥନା ସାରି ଘରକୁ ଫେରୁଥିବାବେଳେ ପୋଲିସ ଅଧିକାରୀ ପରଭେଜଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ ।

ପରେ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ବର୍ତ୍ତମାନ ଘାଟିରେ ଦେଖାଯାଇଥିବା ସମସ୍ୟା ଓ ସାମ୍ପ୍ରତିକ ସ୍ଥିତି ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅନ୍ୟ ଏକ କାର୍ଯ୍ୟକ୍ରମ ଭାବରେ ଜମ୍ମୁ କାଶ୍ମୀର ୟୁଥ କ୍ଲବର ସଦସ୍ୟମାନଙ୍କ ସହିତ ଅପରାହ୍ନ 4.45 ରେ ଗୃହମନ୍ତ୍ରୀ ସିଧା ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ସେହିପରି ଆଜି ଠାରୁ ସଂଯୁକ୍ତ ଆରବ ରାଷ୍ଟ୍ର(UAE)ର ସାରଜା ଓ ଶ୍ରୀନଗର ମଧ୍ୟରେ ଆରମ୍ଭ ଅନ୍ତର୍ଜାତୀୟ ବିମାନ ସେବାକୁ ମଧ୍ୟ ଉଦ୍ଘାଟନ କରିବେ ଗୃହମନ୍ତ୍ରୀ । ସଂନ୍ଧ୍ୟା ପ୍ରାୟ 6ଟାରେ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶାହା ଶ୍ରୀନଗର ବିମାନବନ୍ଦରେ ପହଞ୍ଚିବେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ସ୍ଥାନୀୟ ପୋଲିସ ପ୍ରଶାସନ । ଶ୍ରୀନଗରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ରହୁଥିବା ତଥା ସହରର କେନ୍ଦ୍ରୀୟ ଲାଲଚୌକ ଅଞ୍ଚଳରେ ଏକ ଏୟାର ସିସିଟିଭି ସର୍ଭେ ମଧ୍ୟ କରିଥିଲା ପୋଲିସ । ଏହା ସହ ସୁରକ୍ଷା ପାଇଁ ଜମ୍ମୁ କାଶ୍ମୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସମୁଦାୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର 50 ପ୍ଲାଟୁନ ନିୟୋଜିତ ରହି ସ୍ଥିତି ଉପରେ କଡା ନଜର ରଖିଛନ୍ତି ।

ଗତ କିଛି ଦିନ ହେବ ଘାଟିରେ ପୁଣି ହିଂସା ବ୍ୟାପକ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆତଙ୍କୀ ଆକ୍ରମଣରେ ଅନେକ ସଂଖ୍ୟାଲଘୁ ଓ ଅଣକାଶ୍ମୀର ପ୍ରାଣ ହରାଇ ଥିବାବେଳେ ଆତଙ୍କୀଙ୍କ ବିରୋଧରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି । ଘାଟିରେ ସାଧାରଣ ଲୋକ ଓ କାଶ୍ମୀରର ଅଣ ମୂଳବାସିନ୍ଦାକୁ ହତ୍ୟା ଘଟଣାରେ ପ୍ରାୟ 700 ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ଅନେକଙ୍କ ସମ୍ପୃକ୍ତି ଆତଙ୍କୀ ଗୋଷ୍ଠୀଙ୍କ ସହ ରହିଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ଜନ ସୁରକ୍ଷା ଆଇନ (Public Safety Act ,PSA) 1978 ଅନୁଯାୟୀ ଜମ୍ମୁ କାଶ୍ମୀରରୁ ମୋଟ 26 ଜଣ ସନ୍ଦିଗ୍ଧଙ୍କୁ ସୁରକ୍ଷା ଦୃଷ୍ଟିରୁ ଆଗ୍ରା କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତର କରାଯାଇଛି । ତେବେ ଘାଟିରେ ପରିସ୍ଥିତି ଅଣାୟତ ହେଉଥିବାବେଳେ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଜମ୍ମୁ କାଶ୍ମୀରକୁ 2019 ମସିହା ଅଗଷ୍ଟ 5 ତାରିଖ ଧାରା ୩୭୦ ଉଚ୍ଛେଦ କରାଯିବା ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ତେବେ ନିଷ୍ପତ୍ତି ପରେ ଘାଟିରେ ସ୍ଥିତି ସାମାନ୍ୟ ଶାନ୍ତ ପଡିଥିବାବଳେ ଚାପା ଅସନ୍ତୋଷ ଲାଗି ରହିିଥିଲା । କିଛି ଦିନର ବ୍ୟବଧାନ ପରେ ବର୍ତ୍ତମାନ ପୁଣି ଘାଟିରେ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ କାଶ୍ମୀର ବିଭାଜନ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାଶ୍ମୀର ଗସ୍ତକୁ ଖୁବ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details