ନୂଆଦିଲ୍ଲୀ:ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ବିଜେପିର ବିଜୟ ମୂଳଦୂଆ ପଡିସାରିଛି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିପୁଳ ମତଦାନ କରି ବୁନ୍ଦେଲଖଣ୍ଡବାସୀ ବିଜୟୀ ଛାତ ପକାନ୍ତୁ । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବା ଅଞ୍ଚଳ ବୁଲିଆସିଛି । ‘ପହେଲେ ଦୋ ଚରଣ ମେଁ ସପା, ବସପାକା ସୁପଡା ସାଫ ହୋ ଗୟା ହୈ’ ଆଜି ୟୁପି ବାନ୍ଦା ତିନ୍ଦୱାରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ଏହିଭଳି ଗର୍ଜିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ଦଳୀୟ କର୍ମୀ ଓ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେପି ବିଜୟର ମୂଳଦୁଆ ପଡିସାରିଛି । ଏବେ ବୁନ୍ଦେଲଖଣ୍ଡ ଅଞ୍ଚଳବାସୀ ମୂଳଦୂଆକୁ ଛାତ ପର୍ଯ୍ୟନ୍ତ ପହଞ୍ଚାଇବା ଜରୁରୀ । କାରଣ ବର୍ଷ ବର୍ଷ ଧରି ବୁନ୍ଦେଲଖଣ୍ଡ ବାସୀ ଯେଉଁ ସମସ୍ୟା ଦେଇ ଗତି କରୁଥିଲେ, ସେହି ସମସ୍ୟାକୁ ଦୂର କରିବା ପାଇଁ ବିଜେପି ବଦ୍ଧପରିକର । ଆଉ ଯାହା ଅନୁଭବ ମଧ୍ୟ କରିସାରିଛନ୍ତି ବୁନ୍ଦେଲଖଣ୍ଡବାସୀ ।
ପାନୀୟ ଜଳ ସଂକଟ ଥିଲା ଏଠାକାର ବୃହତ ସମସ୍ୟା । ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଯୋଗୀ ସରକାର ଦ୍ରୁତଗତିରେ କାମ କରି ସଫଳତା ପାଇଛନ୍ତି । ବୁନ୍ଦେଲଖଣ୍ଡ ଅଞ୍ଚଳରେ ଡିଫେନ୍ସ କରିଡର ଭାରତ ସରକାର ଆରମ୍ଭ କରିସାରିଛନ୍ତି । ଏହି ସମସ୍ତ ବିକାଶ ଧାରାକୁ ଆଗକୁ ନେବାକୁ ହେଲେ ବିଜେପିର ବିଜୟ ଜରୁରୀ ବୋଲି ଅମିତ ଶାହା ଲୋକଙ୍କୁ କହିଛନ୍ତି ।
ସେହିପରି ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ପୁଣି ଥରେ ଆକ୍ରମଣ କରି ଶାହା ବର୍ଷିଛନ୍ତି । ଅଖିଳେଶଙ୍କ ଶାସନର ଅନେକ ଦୂର୍ନୀତି ପ୍ରସଙ୍ଗ ଉଠାଇ କାହିଁକି 2 ହଜାର କୃଷକ ଆତ୍ମହତ୍ୟା କରିଛନ୍ତି ତାହାର ଜବାବ ମାଗିଛନ୍ତି । ସେହିପରି ଭାରତ ସରକାର ବୁନ୍ଦେଲଖଣ୍ଡ ପାଇଁ ଜାରି ରଖିଥିବା ବିକାଶ ଯୋଜନାକୁ ଉଲ୍ଲେଖ କରି ଶାହା କହିଛନ୍ତି ମହୋବାରେ ଅର୍ଜୁନ ଡ୍ୟାମ, ରତୋଲୀ ଡ୍ୟାମ୍ପ ସହ ଚାରୋଟି ବଡ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଜାରି ରହିଛି । 44 ହଜାର କୋଟି ଟଙ୍କାରେ ନିର୍ମାଣ ହେଉଥିବା କେନ-ବେତାବ କେନାଲ ଲିଙ୍କ ଦ୍ବାରା 62 ଲକ୍ଷ ପରିବାରୁ ବିଶୁଦ୍ଧ ପାନୀୟ ଜଳ ମିଳିବ ସହ 9 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚିତ ହୋଇପାରିବ । ଆଉ ସବୁଠାରୁ ବଡ କଥା ହେଲା ମୋଦି ଯେଉଁ ପ୍ରକଳ୍ପ ଶିଳାନ୍ୟାସ କରନ୍ତି, ତାହାର ମଧ୍ୟ ଉଦଘାଟନ କରନ୍ତି । ଆଉ ଏହି ପ୍ରକଳ୍ପ ଅଳ୍ପ କିଛି ଦିନ ମଧ୍ୟରେ ଶେଷ ହେଲେ ଦଶନ୍ଧୀ ଦଶନ୍ଧୀର ଜଳ ସଂକଟ ଦୂର ହେବ ।