ଭୁବନେଶ୍ବର: ପୁଣି ଓଡିଶାକୁ ବାତ୍ୟା ଭୟ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ଋପ ନେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ସିଧାସଳଖ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ ନକରି ନିକଟବର୍ତ୍ତୀ ସାମୁଦ୍ରିକ କ୍ଷେତ୍ର ମଧ୍ୟ ଦେଇ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି । କିନ୍ତୁ କୌଣସି ମୁହୂର୍ତ୍ତରେ ଆକଳନ ପରିବର୍ତ୍ତନ ହେବା ଆଶଙ୍କାରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଜାରି ରହିଛି ।
ତେବେ ପୂର୍ବ-ତଟୀୟ ରାଜ୍ୟ ଓଡିଶା ଇତିହାରେ ବାତ୍ୟାର ତାଣ୍ଡବ କିଛି ନୂଆ କଥା ମଧ୍ୟ ନୁହେଁ । ଗତ 2ଦଶନ୍ଧି ମଧ୍ୟରେ ରାଜ୍ୟ ସାମ୍ନା କରିଛି ଏକାଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା । 1999 ମସିହାର ମହାବାତ୍ୟା ହେଉ କି 2013ର ଫାଇଲିନ କିମ୍ବା ଫନି ସବୁ ବାତ୍ୟା ଓଡିଶା ଉପକୂଳରେ ରଚିଛନ୍ତି ତାଣ୍ଡବ । ବ୍ୟାପକ ଧନଜୀବନ ନଷ୍ଟ ସହ ଓଡିଶାର ଆର୍ଥିକ ମେରୁଦଣ୍ଡକୁ ପ୍ରତିବର୍ଷ ଦୋହଲାଇ ଚାଲିଛି ଏହି ବାତ୍ୟା ବିପର୍ଯ୍ୟୟ । ତେବେ ନଜର ପକାନ୍ତୁ ଓଡିଶା ଇତିହାସରେ ତାଣ୍ଡବ ରଚିଥିବା କିଛି ପ୍ରଳୟଙ୍କାରୀ ବାତ୍ୟା ଉପରେ । କଣ ରହିଥିଲା ପ୍ରଭାବ ଓ କ୍ଷୟକ୍ଷତି, କେମିତି ସାମ୍ନା କରିଥିଲା ଓଡିଶା ।
1999 ମହାବାତ୍ୟା:-
କେବଳ ଓଡିଶା ନୁହେଁ ସମଗ୍ର ପୂର୍ବ-ଉପକୂଳର ସବୁଠୁ ବଡ ପ୍ରାକୃତିକ ବିପର୍ଯ୍ୟୟ ଥିଲା 1999 ମହାବାତ୍ୟା । 1999 ମସିହା ଅକ୍ଟୋବର 29 ତାରିଖରେ ଓଡିଶା ଉପକୂଳ ସାମ୍ନା କରିଥିଲା ମହାବାତ୍ୟା । ଓଡିଶାର 6 ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜମ ଜିଲ୍ଲା ପ୍ରଭାବିତ ହୋଇଥିଲେ ସୁଦ୍ଧା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା । ପ୍ରାୟ 10 ହଜାର ଲୋକ ପ୍ରାଣ ହରାଇଥିଲେ । ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ମହାବାତ୍ୟା । ଉପକୂଳ ଓଡିଶାରେ ଦଶନ୍ଧି ପ୍ରର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ଏହି ବିପର୍ଯ୍ୟୟର କରାଳ ଛାପ । ଅର୍ଥନୈତିଜ୍ଞଙ୍କ ଆକଳନ ଅନୁସାରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ପ୍ରାୟ 10ବର୍ଷର ରାଜସ୍ବ ହରାଇଥିବା ଅନୁମାନ କରାଯାଏ ।
ସେତେବେଳେ ପାଣିପାଗ ବିଭାଗରେ ଆଧୁନିକ ଯନ୍ତ୍ରାଂଶ ଓ ଗବେଷଣା ପଦ୍ଧତି ଅଭାବ ସାଙ୍ଗକୁ ସୂଚନା ପ୍ରଯୁକ୍ତିବିଦ୍ୟା, ଗଣମାଧ୍ୟମର ଅପହଞ୍ଚ ଆଦି ଏହି ବାତ୍ୟା ମୁକାବିଲା ଦିଗରେ ସାଜିଥିଲା ବାଧକ । ଫଳରେ ବାତ୍ୟାର ପ୍ରକୃତ ପୂର୍ବାନୁମାନ ଓ ସୂଚନା ଆଦାନ ପ୍ରଦାନ କରିବା ପ୍ରକ୍ରିୟା ମଧ୍ୟ ସହଜ ନଥିଲା । ସେହିପରି ସମନ୍ବିତ ମୁକାବିଲା ରଣନୀତି ଓ ଦକ୍ଷତାର ଅଭାବ ମଧ୍ୟ ବାତ୍ୟା କ୍ଷୟକ୍ଷତିର ପରିମାଣକୁ କେଇ ଗୁଣା ବଢାଇଦେଇଥିଲା ।
ବାତ୍ୟା ଫାଇଲିନ (2013):-
ମହାବାତ୍ୟା ପରେ 2013ରେ ଦ୍ବିତୀୟ ବୃହତ୍ତମ ପ୍ରାକୃତିକ ବିପର୍ଯ୍ୟୟ ଭାବେ 12 ଅକ୍ଟୋବର 2013ରେ ଉପକୂଳ ଓଡିଶା ସାମ୍ନା କରିଥିଲା ବାତ୍ୟା ଫାଇଲିନ । ତେବେ ଘଣ୍ଟା ପ୍ରତି ବେଗ 140 କି.ମି ବେଗରେ ବାତ୍ୟା ଫାଇଲିନ ଗଞ୍ଜାମର ଗୋପାଳପୁର ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ହେଲେ ସରକାରଙ୍କ ବତ୍ୟା ମୁକାବିଲା ରଣନୀତି କୁଶଳତା ପାଇଁ ମାତ୍ର 23 ଜଣ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ ।
ବାତ୍ୟାରେ ମୃତାହତ ଓ କ୍ଷୟକ୍ଷତି ପରିମାଣ ହ୍ରାସ କରିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଥିଲେ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରୁ ସମୁଦ୍ରକୂଳିଆ ଅଞ୍ଚଳରୁ ପ୍ରାୟ 5 ଲକ୍ଷ 50 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା । ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସମେତ ରାଜ୍ୟର 12 ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ 14,514 ଗ୍ରାମ ଏଥିରେ ପ୍ରଭାବିତ ହୋଇଥିଲା ।
ବାତ୍ୟା ହୁଡହୁଡ 2014 :-
ଫାଇଲିନର ପରବର୍ଷ ତଥା 2014 ଅକ୍ଟୋବର 12 ତାରିଖରେ ବାତ୍ୟା ‘ହୁଡୁହୁଡ’କୁ ସାମ୍ନା କରିଥିଲା ଓଡିଶା ଉପକୂଳ । ତେବେ ଓଡିଶାରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଥିଲେ ସୁଦ୍ଧା ଲ୍ୟାଣ୍ଡଫଲ ସ୍ଥଳ ଥିଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟନମ ସହର । ରାଜ୍ୟରେ ସିଧା ଲ୍ୟାଣ୍ଡଫଲ ଆଶଙ୍କା ଟଳିଥିଲେ ସୁଦ୍ଧା ପ୍ରବଳ ପବନ ଓ ବର୍ଷାରେ ରାଜ୍ୟରେ 22 ଜଣ ପ୍ରାଣ ହରାଇଥିଲେ । 320 ଗ୍ରାମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । 24,800 ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିଥିଲା ପ୍ରଶାସନ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷ ଭାବେ ପ୍ରଳୟ ରଚିଥିଲା ବାତ୍ୟା ‘ହୁଡହୁଡ’ ।
2018ର ବାତ୍ୟା ତିତିଲି :-
2018ରେ ଓଡିଶା ଉପକୂଳ ପାଇଁ ପୁଣି ଏକ ବପର୍ଯ୍ୟୟ ଆଣିଥିଲା ବାତ୍ୟା ‘ତିତିଲି’ । ଅକ୍ଟୋବର 10ରେ ବାତ୍ୟା ତିତିଲ ଓଡିଶା ଉପକୂଳରେ ମାଡ ହେବା ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିଥିଲା । ଗଞ୍ଜାମ, ଗଜପତି ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ସମେତ ଉତ୍ତର ଆନ୍ଧ୍ର ପ୍ରଦେଶର ପଲାସା, କାକିନାଡା, ବିଜୟନଗରମ ପ୍ରଭୂତି ସ୍ଥାନ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଓଡିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ପ୍ରବଳ ବର୍ଷା, ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ମୋଟ 70 ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ ପ୍ରକାଶ କରାଯାଇଥିଲା । ସର୍ବାଧିକ ମୃତ୍ୟୁ ଗଜପତି ଜିଲ୍ଲାରୁ ସାମ୍ନାକୁ ଆସିଥିଲା ।