କୋଲକାତା:କୋଲକାତାରେ ଦୁର୍ଗା ମେଢକୁ ନେଇ ବିବାଦ । ଗତକାଲି (ଅକ୍ଟୋବର ୨) ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ମା’ ଦୁର୍ଗାଙ୍କ ମେଢରେ ମହିଷାସୁରଙ୍କ ସ୍ଥାନରେ ମହତ୍ମା ଗାନ୍ଧୀଙ୍କ ମୁର୍ତ୍ତିକୁ ସ୍ଥାନ ଦେଇଛି ଅଖିଳ ଭାରତୀୟ ହିନ୍ଦୁ ମହାସଭା (Mahatma Gandhi as Mahishasura)। କୋଲକାତାର କସବାରେ ମହାସଭାର ପ୍ରଦେଶ ଶାଖା ଦ୍ବାରା ଆୟୋଜିତ ଏହି ମେଢରେ ଏପରି ଅଭାବନୀୟ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିବାଦ ମୁଣ୍ଡ ଟେକିବାରେ ଲାଗିଛି ।
ଏପରି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି । ଏ ସମ୍ପର୍କରେ ଆୟୋଜକ ଅଖିଳ ଭାରତ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ପ୍ରଦେଶ ଅଧ୍ୟକ୍ଷଙ୍କୁ ପଚାର ଯିବାରୁ ସେ ମଧ୍ୟ ବିଚିତ୍ର ଉତ୍ତର ରଖିଛନ୍ତି । ସଂଗଠନର ପ୍ରଦେଶ ଅଧ୍ୟକ୍ଷ ମହନ୍ତ ସୁନ୍ଦରଗିରି ମହାରାଜ କହିଛନ୍ତି, ‘‘ଆମ ବିଚାରଧାରାରେ ମହାତ୍ମା ଗାନ୍ଧୀ କେବେ ରାଷ୍ଟ୍ରପିତା ନୁହନ୍ତି । ସେ ଅସୁର, ତେଣୁ ତାଙ୍କୁ ଆମେ ଉକ୍ତ ସ୍ଥାନରେ ସ୍ଥାନିତ କରିଥିଲୁ । ସମସ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଆମେ ପୂଜା ପାଇଁ ଅନୁମତି ନେଇଥିଲେ ସୁଦ୍ଧା ଏପରି ମେଢ ହଟାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆମ ଉପରେ ଚାପ ପକାଯାଉଛି ।’’