ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ଆସାମରେ ବମ୍ପର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଅଙ୍କ କଷୁଛି ବିଜେପି । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? କେଉଁ ନେତା ବିଜେପିର ସ୍ବପ୍ନ ସଂକଳ୍ପ ଉତ୍ତର-ପୂର୍ବାଞ୍ଚଳରେ ପୂରଣ କରିବେ । ସେହିଭଳି ଜଣେ ଦକ୍ଷ ନେତାଙ୍କ ସନ୍ଧାନରେ ବିଜେପି ନେତୃତ୍ବ ।
କାରଣ ନିର୍ବାଚନ ପୂର୍ବରୁ ବିଜେପି କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିନଥିଲା । ସେହି ଦୃଷ୍ଟିରୁ ଗତ 5 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲ ପରିବର୍ତ୍ତନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେପି ଏବେ ଉତ୍ତର-ପୂର୍ବାଞ୍ଚଳ ପାଇଁ ବଡ ଯୋଜନାରେ ଅଛି । ଆଗାମୀ 20 ବର୍ଷକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପିର ରଣନୀତିକାର । ଏପରି ସ୍ଥଳେ ଏବେ ଗୋଟିଏ ପ୍ରଶ୍ନ କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ନା ହିମନ୍ତ ବିଶ୍ବଶର୍ମା ?
ଆସାମ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଯେଉଁଥିରେ ବିଜେପିର ଶୀର୍ଷ ନେତୃତ୍ବ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସର୍ବାନନ୍ଦ ସୋନୁୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଥମ ଆଲୋଚନା କରିବେ ଜେପି ନଡ୍ଡା । ପରେ ପୃଥକ ପୃଥକ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଆଲୋଚନାର ନିର୍ଯ୍ୟାସ ନେଇ ନଡ୍ଡା ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।