ଓଡିଶା

odisha

By

Published : Jan 7, 2023, 5:13 PM IST

ETV Bharat / bharat

Smart Helmet: ଦଶମ ଶ୍ରେଣୀ ଛାତ୍ରୀଙ୍କ କମାଲ, ଦୁର୍ଘଟଣା ରୋକିବ ସ୍ମାର୍ଟ ହେଲମେଟ

ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ରିଦ୍ଧିମା ଠାକୁର ଏକ ନିଆରା ହେଲମେଟ ତିଆରି କରିଛନ୍ତି । ଯେଉଁଥିରେ ଦୁର୍ଘଟଣା ଘଟିଲେ ପରିବାର ଲୋକେ ତୁରନ୍ତ ଖବର ପାଇ ପାରିବେ । ଅଧିକ ପଢ଼ନ୍ତୁ

smart helmet
ସ୍ମାର୍ଟ ହେଲମେଟ

ଶିମଲା: ଦିଲ୍ଲୀକଞ୍ଜୱାଲା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି । ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ କାର ଧକ୍କା ଦେଇ 12 କିମି ଘୋଷାଡ଼ିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ବିଶେଷ କରି ବଡ଼ ଗାଡ଼ି ସହ ଦୁଇ ଚକିଆ ଯାନର ଦୁର୍ଘଟଣା ଅଧିକ ମାତ୍ରାରେ ରହିଥାଏ । ତେଣୁ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସଚେତନ କରାଯାଏ । ଏହା ସତ୍ତ୍ୱେ ମଧ୍ୟ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେବେ ହିମାଚଳ ପ୍ରଦେଶର ଜଣେ 10 ଶ୍ରେଣୀର ଛାତ୍ରୀ ଏକ ସ୍ମାର୍ଟ ହେଲମେଟ ତିଆରି କରିଛନ୍ତି । ଯାହା ଗାଡ଼ି ଚାଳକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବ ।

ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର 10 ଶ୍ରେଣୀ ଛାତ୍ରୀ ରିଦ୍ଧିମା ଠାକୁର ଏହି ସ୍ମାର୍ଟ ହେଲମେଟ ତିଆରି କରିଛନ୍ତି । ଏହି ହେଲମେଟରେ କ୍ୟାମେରା, ଲୋକେସନ ଟ୍ରାକର ଓ ସେନସର ରହିଛି । ଯାହା ଏକ ସ୍ମାର୍ଟ ଫୋନଠାରୁ କମ ନୁହେଁ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ଏହା ସହାୟକ ଅଟେ । ହେଲମେଟର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି , ଯଦି ବାଇକ ଆରୋହୀ ହେଲମେଟ ପିନ୍ଧିବାକୁ ଭୁଲିଯାନ୍ତି ଅଥବା ହେଲମେଟ ସଠିକ ଭାବେ ପିନ୍ଧନ୍ତି ନାହିଁ , ତେବେ ହେଲମେଟ ସଠିକ ଭାବେ ପିନ୍ଧିବା ଯାଏ ସେଥିମଧ୍ୟରୁ ଏକ ଧ୍ବନି ବାଜିବା ଜାରି ରହିବ ।

ଯେତେବେଳେ ହେଲମେଟ ପିନ୍ଧିଥିବା ବ୍ୟକ୍ତି ଦୁର୍ଘଟଣାର ଶିକାର ହେବେ, ସେତେବେଳେ ପରିବାର ସଦସ୍ୟ ଏହାର ବାର୍ତ୍ତା ପାଇବେ । ରିଦ୍ଧିମା ଏହି ହେଲମେଟରେ ସିମ ମଧ୍ୟ ଲଗାଇଛନ୍ତି । କୌଣସି ବସତଃ ଦୁର୍ଘଟଣା ଘଟିବା ମାତ୍ରେ ସିମ କାର୍ଡ ମାଧ୍ୟମରେ କଲ କିମ୍ବା ମେସେଜ ବନ୍ଧୁ ପରିଜନଙ୍କୁ ସୂଚନା ଦେଇହେବ । ଯଦି କୌଣସି ବିପଦ କିମ୍ବା ଦୁର୍ଘଟଣା ଘଟେ, ଗାଡ଼ି ଚାଳକ ଜଣକ ଟ୍ରାନ୍ସମିଟର ମଡ୍ୟୁଲରେ ବଟମ ଦବାଇ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ ଲଗାଇପାରିବେ । ଟେକ୍ସ ମେସେଜ ମାଧ୍ୟମରେ GSM ସହ ସଂଯୋଗ ହୋଇଥିବା GPRSରେ ସେଭ୍ ହୋଇଥିବା ନମ୍ବରକୁ ଲାଇଭ ଲୋକେସନ ପହଞ୍ଚିଯିବ । ତେବେ ଏଥିପାଇଁ ମାତ୍ର 1 ରୁ 2 ସେକେଣ୍ଡ ସମୟ ଲାଗିବ ବୋଲି ରିଦ୍ଧିମା କହିଛନ୍ତି ।

ଏହି ସ୍ମାର୍ଟ ହେଲମେଟରେ ଆର୍ଡିନୋ ସିଷ୍ଟମର ଏକ ମସ୍ତିଷ୍କ ଭାବେ କାର୍ଯ୍ୟ କରିବ । ଯେଉଁଥିରେ ଜରୁରୀକାଳୀନ ନମ୍ବର ସେଭ ରହିବ । ହେଲମେଟର ଡାହାଣ ପାର୍ଶ୍ବରେ ଥିବା ଟ୍ରାନ୍ସ ମିଟର ମଡ୍ୟୁଲରେ କଲ କିମ୍ବା ମେସେଜ ପାଇଁ ବଟନ ରହିଛି । ଏଠାରେ ଏକ ପ୍ରେସର ପ୍ଲେଟ ବ୍ୟବହାର କରାଯାଇଛି । ଦୁର୍ଘଟଣା ଘଟିଲେ କିମ୍ବା ପ୍ରେସର ପ୍ଲେଟରେ ସାମାନ୍ୟ ଧକ୍କା ହେଲେ ସ୍ବୟିଂଚାଳିତ ଭାବେ ପରିବାର ଲୋକଙ୍କୁ ସଙ୍କେତ ମିଳିବ । ଏଥିରେ ଲାଗିଥିବା କ୍ୟାମେରା ସିସିଟିଭି ପରି କାର୍ଯ୍ୟ କରିବ । ମୋବାଇଲରେ ଥିବା ଏକ ଆପ ମାଧ୍ୟମରେ ଏହି କ୍ୟାମେରା ଉପରେ ନଜର ରଖାଯାଇପାରିବ ।

ଡେଲହାଉସି ସ୍କୁଲର ଛାତ୍ରୀ ରିଦ୍ଧିମା କହିଛନ୍ତି, "ସ୍ମାର୍ଟ ହେଲମେଟ ତିଆରି ପାଇଁ ପ୍ରାୟ 8000 ଟଙ୍କା ଖର୍ଚ୍ଚ ହୋଇଛି । ଯେବେ ଏହି ହେଲମେଟ ବଜାରକୁ ଆସିବ ଏବଂ ସେଗୁଡିକ ବ୍ୟବହାର ହେବ ତାହାର ମୂଲ୍ୟ 3000ରୁ 4000 ଟଙ୍କା ରହିବ ।" ସେ କହିଛନ୍ତି ଯେ, ବଜାରରେ ସାଧାରଣ ହେଲମେଟର ମୂଲ୍ୟ ମଧ୍ୟ 1500 ଟଙ୍କାରୁ ଆରମ୍ଭ ହେଉଛି । କିନ୍ତୁ ନିଜ ସୁରକ୍ଷା ପାଇଁ ଲୋକେ ଏହାକୁ ବ୍ୟବହାର କରିପାରିବେ ।

ABOUT THE AUTHOR

...view details