ହାଇଦ୍ରାବାଦ:ହିମାଚଳ ପ୍ରଦେଶରେ ବିଜେପିକୁ ମାତ ଦେଇ ବହୁମତ ପାଇଥିବା କଂଗ୍ରେସକୁ ଘାରଛି ଅପରେସନ ଲୋଟସର ଆଶଙ୍କା । ଦଳ 40 ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ତେବେ ଏହି ମାନସମନ୍ଥନ ମଧ୍ୟରେ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ରାଜଧାନୀ ଶିମଲା ଛାଡି ଅନ୍ୟତ୍ର ନଯିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।
ରଜ୍ୟର ପ୍ରର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଦଳର ବରିଷ୍ଠ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ନେତା ଭୂପିନ୍ଦର ସିଂ ହୁଡାଙ୍କ ସମେତ ରାଜ୍ୟର ପ୍ରଭାରୀ ରାଜୀବ ଶୁକ୍ଳା ଶିମଲାରେ ଡେରା ପକାଇଛନ୍ତି । ପରବର୍ତ୍ତୀ ପ୍ରକ୍ରିୟା ନେଇ ଦଳ ତାର କାର୍ଯ୍ୟପନ୍ଥା ଜାରି ରଖିଛି । ମୁଖ୍ୟମନ୍ତ୍ରୀ ଦୌଡରେ ମଧ୍ୟ ଏକାଧିକ ଚେହେରା ରହିଛନ୍ତି । ଏହାରି ମଧ୍ୟରେ ନବନିର୍ବାଚିତ ଦଳୀୟ ବିଧାୟକଙ୍କୁ ରାଜଧାନୀ ଶିମଲାରେ ହିଁ ରହିବାକୁ ନିର୍ଦ୍ଦେଶ ଜରି କରାଯାଇଛି ।