ସିମଲା:ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଯାହାକି ସିଧାସଳଖ ଗୃହିଣୀଙ୍କ ହାଣ୍ଡିଶାଳ ଉପରେ ମାଡ଼ କରିଛି । ଅତି ଆବଶ୍ୟକ ନଥିଲେ ଟମାଟୋ କିଣୁନାହାନ୍ତି ଗ୍ରାହକ । ଏହାରି ମଧ୍ୟରେ ଟମାଟୋ ଅନେକ ଚାଷୀଙ୍କୁ କରିଛି କୋଟିପତି । ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ହିମାଚଳପ୍ରଦେଶର ପରିବା ଚାଷୀ ଜୟରାମ ସୈନି । ଯିଏକି ୧୦ ଲକ୍ଷ କ୍ୟାରେଟ ବିକ୍ରି କରି କୋଟିଏ ଟଙ୍କା ରୋଜଗାର କରିଛନ୍ତି । ୬୭ ବର୍ଷରେ ନିଜ ଜୀବନର ସବୁଠୁ ଅଧିକ ରୋଜଗାର କରିବା ପରେ ଜୟରାମଙ୍କ ଖୁସି କହିଲେ ନସରେ ।
ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାରେ ବଲହଘାଟି ଅଞ୍ଚଳର ଚାଷୀ ଜୟରାମ କହିଛନ୍ତି ଯେ ସେ ଗତ ୫ ଦଶନ୍ଧି ଧରି ଟମାଟୋ ଚାଷ କରିଆସୁଛନ୍ତି । ହେଲେ ଚଳିତ ବର୍ଷ ତାଙ୍କୁ ଯେଉଁ ଲାଭ ମିଳିଛି ତାହା ପୂର୍ବରୁ କେବେ ବି ମିଳିନଥିଲା । ଏବେ ମଣ୍ଡିରେ ଟମାଟୋ କେଜି ପିଛା କେତେବେଳେ ୧୫୦ ତ ଆଉ କେତେବେଳେ ୨୦୦, ୨୫୦ ଟଙ୍କା ମଧ୍ୟ ବିକ୍ରି ହେଉଛି । ସେ ୮୩୦୦ ପେଟି ବା ୧୦ ହଜାର କ୍ୟାରେଟ ବିକ୍ରି କରି ଏଯାବତ ୧ କୋଟି ୧୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଜୟରାମଙ୍କ ୨ ପୁଅ ସତୀଶ ଓ ମନୀଷ ମଧ୍ୟ ତାଙ୍କୁ ଏହି ବ୍ୟବସାୟରେ ସାହାଯ୍ୟ କରିଥିବା ସେ କହିଚନ୍ତି ।