ଶିମଲା:ଅସୁସ୍ଥ ଅଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସ ହସ୍ପିଟାଲ ଅଭିମୁଖେ ବାହାରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ସେଠାରେ ପହଞ୍ଚିବା ପରେ ଏକ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିବେ । ବୁଧବାର ରାତିରେ ପେଟରେ ଯନ୍ତ୍ରଣା ହେବାରୁ ଶିମଲାରେ ଥିବା ଇନ୍ଦିରାଗାନ୍ଧୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସକୁ ରେଫର କରାଯାଇଛି । ବର୍ତ୍ତମାନ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।
ଆଜି ସକାଳ ପ୍ରାୟ 8ଟା 48 ମିନିଟ ସମୟରେ ସୁଖବିନ୍ଦର ସିଂ ସୁଖୁ ତାଙ୍କ ସରକାରୀ ବାସଭବନକୁ ଫେରିଥିଲେ ଏବଂ ପରେ ସକାଳ 9 ଟା 30 ମିନିଟରେ ହେଲିକପ୍ଟର ଯୋଗେ ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦରରେ ପହଞ୍ଚିଥିଲେ। ଏବେ ସେ ସିଧାସଳଖ ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଛନ୍ତି । ସେଠାରେ ଏକ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିବେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ପର୍ଯ୍ୟଟନ ବିକାଶ ନିଗମ ପ୍ରେସିଡେଣ୍ଟ ରଘୁବୀର ସିଂ ବାଲି ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ହିମାଚଳରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ
ବୁଧବାର ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ସୁଖବିନ୍ଦର ସିଂ ସୁଖୁ । ଏହାପରେ ଚିକିତ୍ସା ନିମନ୍ତେ ଏକ ଡାକ୍ତରୀ ଟିମ ତାଙ୍କ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ପଡିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ କିଛି ପରୀକ୍ଷା କରାଯିବା ପରେ ପେଟରେ ସଂକ୍ରମଣ ହେବାରୁ ଯନ୍ତ୍ରଣା ହେଉଥିବା ଡାକ୍ତର ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଦୁଇ ଦିନ ବିଶ୍ରାମ ନେବାକୁ କୁହାଯାଇଥିଲା । ଆଇଜିଏମସିରେ ସୁଖୁଙ୍କ ସ୍ୱାସ୍ଥ୍ୟ ତଦାରଖ ପାଇଁ ଛଅ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଥିଲା ।
2022 ଡିସେମ୍ବର 11 ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଖବିନ୍ଦର ସିଂ ସୁଖୁ । 1964 ମସିହା ମାର୍ଚ୍ଚ 26 ତାରିଖରେ ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲା ଅନ୍ତର୍ଗତ ସେରା ଗ୍ରାମରେ ସୁଖବିନ୍ଦର ସିଂ ସୁଖୁଙ୍କ ଜନ୍ମ । ସୁଖୁଙ୍କ ବାପା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମାଆ ଜଣେ ଗୃହିଣୀ । ସୁଖୁ କମ୍ ବୟସରେ ଛୋଟ ଶିମଲା ଅଞ୍ଚଳରେ ଏକ କ୍ଷୀର କାଉଣ୍ଟର ଚଳାଉଥିଲେ । ଏହାପରେ ସେ ଶିମଲାରେ ଏଲଏଲବି ଅଧ୍ୟୟନ କରିଥିଲେ । କଲେଜରେ ସେ ଶ୍ରେଣୀ ପ୍ରତିନିଧି, ଷ୍ଟୁଡେଣ୍ଟ ଆସୋସିଏସନର ଅଧ୍ୟକ୍ଷ ଓ ସଭାପତି ହୋଇଥିଲେ । ସୁଖୁ କଂଗ୍ରେସର ଛାତ୍ର ସଂଗଠନ NSUI ରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।