ଚଣ୍ଡିଗଡ: ବିଜେପି ନେତା ତାଜିନ୍ଦର ପାଲ ବାଗାଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ଜୁଲାଇ 5 ପର୍ଯ୍ୟନ୍ତ ବାଗାଙ୍କୁ ପୋଲିସ ଗିରଫ କରିପାରିବ ନାହିଁ ବୋଲି ଆଜି (ମଙ୍ଗଳବାର) ହାଇକୋର୍ଟ ତାଙ୍କ ଅନ୍ତରୀଣ ରାୟରେ ପ୍ରକାଶ କରିଛନ୍ତି । ଗତ ଶୁଣାଣିରେ ବାଗାଙ୍କୁ ମେ’ 10 ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଥିବା ବେଳେ ଆଜି ଶୁଣାଣିରେ ଏହି ଅବଧିକୁ ଜୁଲାଇ 5 ଯାଏଁ ବୃଦ୍ଧି କରାଯାଇଛି ।
ଆଜି (ମଙ୍ଗଳବାର) ପ୍ରାୟ 45 ମିନିଟ ଧରି ଏହି ମାମଲାରେ ଜାରି ରହିଥିଲା ଶୁଣାଣି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଉତ୍ତେଜନାମୂଳକ ବିବୃତ୍ତି ଦେବା ଅଭିଯୋଗରେ ମୋହାଲି କୋର୍ଟ ବାଗାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା । ଯାହାକୁ ଚ୍ୟାଲେଞ୍ଜ କରି ପଞ୍ଜାବ-ହରିୟାଣା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବାଗା । ଆଜିର ଶୁଣାଣି ପରେ ବାଗାଙ୍କୁ ବଡ ଆଶ୍ବସ୍ତି ମିଳିଛି ।