ହାଇଦ୍ରାବାଦ: ''ଜିଲ୍ଲାପାଳ ସାର୍, ଖରାଦିନ ହେଲାଣି ହେଲେ ଆମ ସହରରେ କିଙ୍ଗଫିସର ବିଅର ମିଳୁନି । ସ୍ଥାନୀୟ ମଦ ବ୍ୟବୟାୟୀ ଦୋକାନରେ ଏହି ବିଅର ରଖୁନାହାନ୍ତି । କିଙ୍ଗଫିସର ପାଇଁ ପଡୋଶୀ ସହରକୁ ଯିବାକୁ ପଡୁଛି । ଆଖପାଖର ବେଆଇନ ମଦ ଦୋକାନରେ ଯେତିକି ମିଳୁଛି ତାହା ବି ଉଚ୍ଚା ଦରରେ । ତେଣୁ ଆମ ସହରରେ ମଧ୍ୟ କିଙ୍ଗଫିସର ଉପଲବ୍ଧ କରାନ୍ତୁ ।'' ଖରାଦିନ ଆରମ୍ଭ ହୋଇଥିବାବେଳେ ସହରରେ ପ୍ରିୟ ବ୍ରାଣ୍ଡର ବିଅର ନମିଳିବାରୁ ନିରାଶ ହୋଇ ଜନଶୁଣାଣି ଶିବିରରେ ଏପରି ଅଭିଯୋଗ କରିଛନ୍ତି ତେଲେଙ୍ଗାନା ଜଗତିୟାଲା ଜିଲ୍ଲାର ଜଣେ ବିଅର ପ୍ରେମୀ ଯୁବକ । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଜଗତିୟାଲ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ପ୍ରଜା ବାଣୀ ଆୟୋଜିତ ହୋଇଥିଲା । ଏଥିରେ ସାଧାରଣ ଲୋକମାନେ ନିଜ ନିଜର ସମସ୍ୟା ସମ୍ପର୍କରେ ଜଣାଇଥାନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ବୀରାମ ରାଜେଶ ନାମକ ଜଣେ ଯୁବକ ମଧ୍ୟ ନିଜର ଅଭିଯୋଗ ଆଣି ଆସିଥିଲେ । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସାଧାରଣତଃ ଲୋକମାନେ ଏଠାରେ ଜନସାଧାରଣଙ୍କ ସମସ୍ୟା ଓ କେହି କେହି ବ୍ୟକ୍ତିଗତ ସମସ୍ୟା ଜଣାଉଥିବା ବେଳେ ଏହି ଯୁବକ କିନ୍ତୁ କିଙ୍ଗଫିସର ବିଅର ପାଇଁ ଅଭିଯୋଗ କରିଥିଲେ ।