ହାଇଦ୍ରାବାଦ:ସମଗ୍ର ତେଲେଙ୍ଗାନାରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ରାଜଧାନୀ ହାଇଦ୍ରାବାଦ ସମେତ ୱାରଙ୍ଗଲ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗତକାଲି(ବୁଧବାର) ଭଦ୍ରାଦ୍ରୀ କୋଥାଗୁଡେମ ଜିଲ୍ଲାର କରାଗାଗୁଡେମ ସର୍ବାଧିକ 32.6 ସେ.ମି ବର୍ଷା ରେକର୍ଡ ହୋଇଛି । ମୁଲୁଗୁ ଜିଲ୍ଲାରେ 11.5ରୁ 20.4 ସେ.ମି ବର୍ଷା ହୋଇଥିବା ବେଳେ ମଞ୍ଚିରାୟାଲା, କାମାମ, ସୂର୍ଯ୍ୟପେଟ, ଭଦ୍ରାଦ୍ରୀ, ଭାନାପାର୍ଟି, ନିର୍ମଲ ଏବଂ କୁମୁରାମ ଭୀମ ଜିଲ୍ଲାରେ ମଧ୍ୟ 6.45ରୁ 11.5 ସେ.ମି ମଧ୍ୟରେ ବର୍ଷା ହୋଇଛି । ଗତକାଲି ସାରା ରାଜ୍ୟରେ ହାରାହାରି 2.26 ସେ.ମି ବର୍ଷା ରେକର୍ଡ କରାଯାଇଛି ।
ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଭଦ୍ରାଚଲମରେ ଗୋଦାବରୀ ବିପଦ ସଙ୍କେତ ଟପିଛି । ଜଳସ୍ତର 50.5 ଫୁଟରେ ପହଞ୍ଚିବା ପରେ ଦ୍ୱିତୀୟ ଜରୁରୀକାଳୀନ ସତର୍କ ସୂଚନା ଜାରି କରିଛି ସ୍ଥାନୀୟ ପ୍ରଶାସନ । ସେହିପରି ରାଜଧାନୀ ହାଇଦ୍ରାବାଦ ଏବଂ ୱାରଙ୍ଗଲ ସହରର ମଧ୍ୟ ଲଗାଣ ବର୍ଷା ପରେ କୃତ୍ରିମ ବନ୍ୟା ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ରାସ୍ତାଘାଟ ବୁଡ଼ି ରହିଥବା ବେଳେ ଆପାର୍ଟମେଣ୍ଟରେ ମଧ୍ୟ ପାଣି ପଶିଛି ।
ପେଡଡାପଲି ଜିଲ୍ଲା ସାବିତାମରେ ଜଣେ ଯୁବକ ବର୍ଷା ପାଣିରେ ଭାସି ଯାଇଛନ୍ତି । ଭଦ୍ରାଦ୍ରୀ ଜିଲ୍ଲାରେ ମଧ୍ୟ ଜଳସ୍ରୋତରେ ଭାସିଯାଇ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରଜ୍ୟରେ 1.05 ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି । ପାଣିପାଗ ବିଭାଗ କହିଛି, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି ।